କନକବ୍ୟୁରୋ: ଶନିବାର ଅପରାହ୍ନରେ ପୁରୀଘାଟ ସ୍ଥିତ ତ୍ରିଶା ନର୍ସିଂହୋମ୍ ଅଗ୍ନିକାଣ୍ଡ ଘଟଣାରେ ପ୍ରଥମ ମୃତ୍ୟୁ । ଶିଶୁଭବନକୁ ସ୍ଥାନାନ୍ତରିତ ହୋଇଥିବା ସାତ ଦିନର ଶିଶୁଟି ଆଖି ବୁଜିଛି। ଭଦ୍ରକ ଚାନ୍ଦବାଲିର ଏହି ସାତ ଦିନ ଶିଶୁର ମୃତ୍ୟୁ ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବାପା କହିଛନ୍ତି, ଗତକାଲିଠୁ ଶିଶୁର ମୃତ୍ୟୁ ଘଟିଛି । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ୍ୟୁ ବାବଦରେ ବିଳମ୍ବରେ ଖବର ଦେଇଛନ୍ତି। ଜଣେ ଶିଶୁର ମୃତ୍ୟୁ ପରେ ଶିଶୁଭବନରେ ଏବେ ୧୬ ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ତେବେ ଏହି ଶିଶୁଙ୍କଠାରେ ଅଗ୍ନିକାଣ୍ଡ ଜନିତ କୌଣସି ସମସ୍ୟା ନଥିବା କହିଛନ୍ତି ଶିଶୁଭବନ ସୁପରିଟେଣ୍ଡେଣ୍ଟ। ଶନିବାର ତ୍ରିଶା ନର୍ସିଂହୋମ ଅଗ୍ନିକାଣ୍ଡ ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ ।

Advertisment

ଡିଏମଇଟିଙ୍କ ଏକ ୩ ଜଣିଆ ଟିମ୍ ତ୍ରିଶା ହସ୍ପିଟାଲରେ ପହଁଚି ହସ୍ପିଟାଲରେ ଥିବା ଫାୟାର ସେଫ୍ଟ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏହା ସହ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ୍ ଅନୁସାରେ ହସ୍ପିଟାଲର ରେଜିଷ୍ଟ୍ରେସନ୍ ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଶିଶୁ ଭବନ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସରକାରୀ ହସ୍ପିଟାଲରେ ଭଲ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଏବଂ ଫାୟାର ଡିଜିଙ୍କୁ ନେଇ ଏକ ସମନ୍ବୟ କମିଟି ହେବା ପରେ ସବୁ ହସ୍ପିଟାଲ ପାଇଁ ଏକ ଗାଇଡଲାଇନ ଜାରି କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।