ନିଆଁର ଆଁରେ ଜଳିଗଲା ସବୁକିଛି । ସଟସର୍କିଟ୍ ଯୋଗୁଁ ଘଟିଲା ଅଗ୍ନିକାଣ୍ଡ, ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

330

କନକ ବ୍ୟୁରୋ : ଅନୁଗୁଳ ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନି ପରିସରରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ନାଲକୋ ନଗର ଗିରାଙ୍ଗ ଛକ ନିକଟରେ ଥିବା ଏ-୮୦୩ କ୍ୱାର୍ଟରରେ ଅଜୟ କୁମାର ଜେନାଙ୍କ ଘରେ ନିଆଁ ଲାଗିଥିଲା । ଅଜୟ ଡ୍ୟୁଟିରୁ ଘରକୁ ଫେରିବା ପରେ ହଠାତ ଘର ଭିତରେ ଥିବା ବିଦ୍ୟୁତ ବୋର୍ଡରେ ସଟସର୍କିଟ ହେବାରୁ ନିଆଁ ଲାଗିଥିଲା । ନିଆଁ ଝୁଲ ପଡ଼ି ପାଖରେ ଥିବା ଶୋଇବା ଖଟ ଜଳି ଯାଇଥିଲା ।

ନିଆଁକୁ ଆୟତ୍ତ କରାଯାଉଥିବା ବେଳେ ପାଖରେ ରଖା ଯାଇଥିବା ସୋରିଷ ଓ ରିଫାଇନ ତେଲରେ ନିଆଁ ଲାଗିଯିବାରୁ କ୍ଷିପ୍ର ଗତିରେ ଘର ସାରା ନିଆଁ ବ୍ୟାପିଯାଇଥିଲା । ଅଳ୍ପ ସମୟ ମଧ୍ୟରେ ଘର ଭିତରେ ଥିବା ସମସ୍ତ ନିତ୍ୟ ବ୍ୟବହାର ସାମଗ୍ରୀ, ୨ଟି ଟିଭି, ଫ୍ରିଜ, ବହି ପତ୍ର, ୨ଟି ଫ୍ୟାନ, ଆଲମାରୀ, ପ୍ଲାଷ୍ଟିକ ଚୌକି ଆଦି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ।

ଘର ଭିତରେ ପରିବାର ଲୋକ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶବ୍ଦ ଶୁଭିନଥିଲା । ପାଖରେ ଥିବା ଠିକା ସୁରକ୍ଷା ସଂସ୍ଥାର ସୁରକ୍ଷାକର୍ମୀ ଉକ୍ତ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଘର ମାଲିକ ଅଜୟ କୁମାର ଜେନା ନିଆଁରେ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ନାଲକୋ ପୁଲିସ ପହଞ୍ଚି ଥିଲା ।