ରାସ୍ତା କରିବାକୁ ଯାଇଥିଲେ ୩୨ ପରିବାର, ଫେରିବା ବେଳକୁ ଜଳି ଯାଇଥିଲା ଗୋଟିଏ ପରେ ଗୋଟିଏ ଘର । 

93

କନକ ବ୍ୟୁରୋ : ଚାହୁଁ ଚାହୁଁ ଆଖି ଆଗରେ ଜଳିଗଲା ଗୋଟିଏ ପରେ ଗୋଟିଏ ଘର। ଆସବାବପତ୍ର ଦୂରର କଥା, ପିନ୍ଧା ଲୁଗା କିମ୍ବା ବାସନ ବି ଉଦ୍ଧାର କରିପାରିଲେ ନାହିଁ । ସବୁକିଛି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ଏବେ ବେସାହାରା ହୋଇପଡିଛନ୍ତି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନୂଆଁ ଦୋରଙ୍ଗି ଗାଁର ୩୨ଟି ବିପନ୍ନ ପରିବାର। ପିଲା-ଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା ।

ଗାଁର ଅଧିକାଂଶ ପୁରୁଷ ଓ ମହିଳା ଦିନ ମଜୁରିଆ ହୋଇଥିବାରୁ, ସୋମାନେ ଆଜି ଏକ ରାସ୍ତା କାମକୁ ଚାଲିଯାଇଥିଲେ । ଆଉ କିଛି ପରିବାର ଖାଇବସିଥିବା ବେଳେ, ସଂପୃକ୍ତ ସାହିର ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ନିଆଁ ବାହାରିଥିଲା । ତା’ପରେ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ତାହା ଲିଭାଇବା ସମ୍ଭବ ହୋଇନଥିଲା କିମ୍ବା ନିଆଁ ଲିଭାଇବାକୁ ପାଣିର ମଧ୍ୟ ସୁବିଧା ନଥିଲା । ଭଂଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ନିଆଁକୁ ଲିଭାଇଥିଲେ। ସଂଧ୍ୟା ସୁଦ୍ଧା ସ୍ଥାନୀୟ, ରାଜସ୍ବ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଛି । ସମସ୍ତେ ଗରୀବ ଶ୍ରେଣୀର ହୋଇଥିବାରୁ ଏମାନଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇଛି ।