ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ସାଇତା ସାମଗ୍ରୀ

167

କନକ ବ୍ୟୁରୋ : ଝିଅ ବାହାଘର ପାଇଁ ସାଇତି ରଖିଥିବା ଜିନିଷ ଜଳି ପାଉଁଶ ହୋଇଯାଇଛି । ପଡିଛି ପୋଡା ଶାଢ଼ୀ, ଅଧା ଜଳି ଯାଇଥିବା ଆଟାଚ୍ । ଅନ୍ୟାନ୍ୟ ଘର କରଣା ସାମଗ୍ରୀ ବି ନିଆଁରେ ଜଳି ଛାରଖାର ହୋଇଯାଇଛି । ଘରେ ଥିବା ସାର୍ଟିଫିକେଟ, ଆଧାରକାର୍ଡ, ସୁନା ଗହଣା ଟଙ୍କା ସବୁ କିଛି । ଏଥିସହ ପୋଡି ଯାଇଛି ଝିଅ ବାହାଘର ପାଇଁ ସାଇତି ରଖିଥିବା ସ୍ୱପ୍ନ । ଏ ହେଉଛି, ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରର ଦୃଶ୍ୟ । ବର୍ଷ ବର୍ଷ କଷ୍ଟ କରି ସଂଚୟ କରିଥିବା ଜିନିଷ ପୋଡି ଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପୂରା ପରିବାର ।

କାର୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତିରୁ ଘରୁ ବାହରିଥିଲେ ବସନ୍ତଙ୍କ ପରିବାର । ହେଲେ, ଅଳ୍ପ କିଛି ବାଟ ଯିବା ପରେ ଘରେ ନିଆଁ ଲାଗି ଯାଇଥିବା ପଡୋଶୀ ଫୋନ୍ କରି କହିଥିଲେ । ଆଉ ଫେରି ଦେଖିଥିଲେ ହୁତୁ ହୁତୁ ହୋଇ ଜଳୁଛି ଘର । ନିଆଁକୁ ତୁରନ୍ତ ଆୟତ କରିବା ସମ୍ଭବ ହୋଇନଥିଲା । ଦମକଳ ବାହିନୀ ପହଁଚିବାବେଳକୁ ସବୁ କିଛି ସରି ଯାଇଛି ।

ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ ଦିନ ମଜୁରିଆ ଭାବେ କାମ କରୁଥିବା ବସନ୍ତ ଏବେ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।