ଆନ୍ଦୋଳନ ନେଲା ଜୀବନ । କୂଅରେ ପଡି ଆଖିବୁଜିଲା ୩ ବର୍ଷର ଶିଶୁ । ସେପଟେ ଗୋଟିଏ ପରେ ଗୋଟିଏ ଗାଁକୁ ଗ୍ରାସ କରି ଚାଲିଛି ନିଆଁ । ହେଲେ ଉଦ୍ଧାର ପାଇଁ ଆସୁନାହାଁନ୍ତି ଅଗ୍ନିଶମ କର୍ମଚାରୀ

40

କନକ ବ୍ୟୁରୋ: ଦୁଇ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଅଗ୍ନିଶମ କର୍ମଚାରୀ । ୬ ଦଫା ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟର ସବୁ ଫାୟାର ଷ୍ଟେସନ ଠପ ରହିଛି । ଓଡିଶା ପୁଲିସ ମାନଙ୍କ ସହିତ ସମାନ ଦରମା ଓ ଭତା ପ୍ରଦାନ, ୮ ଘଂଟା ଡ୍ୟୁଟି ପ୍ରଦାନ ତଥା ଜବ ଚାର୍ଟ ନିଘଂଟ,ଖାଲି ପଦବୀ ପୂରଣ. ଠିକା ବ୍ୟବସ୍ଥା ଉଚ୍ଚେଦ ତଥା ସଂଘକୁ ସରକାରୀ ପଂଜୀକରଣ କରିବା,ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ଓ କ୍ୟାଡର ପୁର୍ନଗଠନ ଦେଇ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କୁ ଦାବି ନେଇ ପୂର୍ବରୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ କରୁଥିବା କହିଛନ୍ତି ।

ସେପଟେ ଆନ୍ଦୋଳନ ପାଇଁ ଲୋକଙ୍କ ସ୍ୱାର୍ଥଙ୍କୁ ଅଣଦେଖା । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ଦୁଇଟି ସ୍ଥାନରେ ନିଆଁ ଲାଗି ଯାଇଥିବା ବେଳେ ଗୋଟିଏ ସ୍ଥାନରେ କୂଅରେ ପଡି ଏକ ଶିଶୁ ପ୍ରାଣ ହରାଇଛି । ନୟାଗଡରେ ହୁତ ହୁତ ହୋଇ ଘର ପୋଡିଯାଉଥିବା ବେଳେ ବିକଳରେ ଲୋକେ ଦମକଳକୁ ଫୋନ କରି ଚାଲିଥିଲେ । ହେଲେ ଧର୍ମଘଟ ଯୋଗୁଁ ଦମକଳ ଆସୁନଥିଲା ।

ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ଗ୍ରାସ କରି ଚାଲିଥିଲା । ଏଭଳି ଘଟଣା ଘଟିଥିଲା ନୟାଗଡ ଦଶପଲ୍ଲା ସହରଠାରୁ ମାତ୍ର ୨ କିଲୋମିଟର ଦୂର ଶ୍ରୀରାମପୁର ଗାଁରେ । ୮ ବଖରା ଘର ପୋଡି ସାରିବା ପରେ ଶେଷରେ ନିଜ ଉଦ୍ୟମରେ ନିଆଁକୁ ଆୟତ କରିଥିଲେ ଗାଁ ଲୋକେ । ରାତି ୧୨ ଟାରେ ଗାଁର ଦୁଲୁ ସାହୁଙ୍କ ଘରୁ ଏହି ନିଆଁ ବାହାରି ୬ ପରିବାରର ୮ ବଖରା ଘର ଭଷ୍ମ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଥିଲା ।

ଏପଟେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସିମୁଳିଆ ବଜାରରେ ଗୋଟିଏ କୁକୁଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଦୋକାନରେ ଥିବା ଶତାଧିକ କୁକୁଡା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆନ୍ଦୋଳନ ଯୋଗୁଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିପାରିନଥିଲେ । ଫଳରେ ଉତ୍୍ୟକ୍ତ ଲୋକେ ବାଲିଆପାଳ ଅଗ୍ନିଶମଅଫିସରେ ତାଲା ପକାଇଦେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ସୌଭାଗ୍ୟବଶତଃ ଦୁଇ ଜଣ କର୍ମଚାରୀ ରକ୍ଷା ପାଇଯାଇଥିଲେ ।

ସେହିପରି ମୟୂରଭଞ୍ଜ ମୋରଡାରେ ୩ ବର୍ଷର ଶିଶୁ କୂଅରେ ପଡି ପ୍ରାଣ ହରାଇଛି । ଭାଲିଆଡିହା ପଂଚାୟତ ଡାକୋଇ ଗାଁର ଚଲା ମହାକୁଡଙ୍କ ଶିଶୁପୁତ୍ର ନିଖୋଜ ହୋଇଥିବା ବେଳେ କୂଅ ଭିତରେ ପଡିଯାଇଥିବା ଦେଖିଥିଲେ ପରିବାର ଲୋକ । ଆଉ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କିନ୍ତୁ ଆନ୍ଦୋଳନ ଜାରି ରଖିଥିବାରୁ ଖବର ପାଇବା ପରେ ମଧ୍ୟ ଘଟଣାସ୍ଥଳରେ ପହଁଚି ନଥିଲେ ଅଗ୍ନିଶମ କର୍ମଚାରୀ । ଆଉ ନିରୂପାୟ ହୋଇ ଶେଷରେ ଗାଁ ଲୋକ ହିଁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଶେଷରେ ପାଣି ପମ୍ପ ଲଗାଇ କୂଅ ଶୁଖାଇବା ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଥିଲା ।