ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ଭୟରେ ଓହ୍ଲାଇପଡିଲେ ଯାତ୍ରୀ

385

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିର ଲୋମହର୍ଷଣକାରୀ ଦୃଶ୍ୟ ମନରୁ ନ ଲିଭୁଣୁ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରିଛି । ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଅଟକିଥିବାବେଳେ ଏସି ବଗିରୁ ହଠାତ୍ କିଛି ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଅନେକ ଯାତ୍ରୀ ବି ଟ୍ରେନରୁ ଓହ୍ଲାଇପଡିଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସ ଟ୍ରେନ ଦିନ ପ୍ରାୟ ୧୨ଟା ୫୦ରେ ବ୍ରହ୍ମପୁର ଷ୍ଟେସନରେ ପଂହଚିଥିଲା । ଏହି ସମୟରେ ଟ୍ରେନର ଏସି ବଗି ବି-୫ରେ ଏକ ତାରରୁ ଗନ୍ଧ ବାହାରୁଥିବା ଯାତ୍ରୀ ଦେଖିବାକୁ ପାଇଥିଲେ । ରେଳ ଅଧିକାରୀଙ୍କୁ ଏ ନେଇ ଯାତ୍ରୀ ଜଣାଇଥିଲେ । ପରେ ଟେକ୍ନସିଆନ ଆସି ତାରକୁ ମରାମତି କରିବା ସହ ସଂପୃକ୍ତ ବଗିକୁ ଯାଂଚ କରିଥିଲେ । ଏହା ପରେ ବି ଯାତ୍ରୀମାନେ ସଂପୃକ୍ତ ବଗିରେ ଯିବା ପାଇଁ ଅମଙ୍ଗ ହୋଇଥିଲେ । ପ୍ରାୟ ୩୫ ମିନିଟ ଧରି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ଅଟକି ରହିଥିଲା ।

ତେବେ ରେଳବାଇ କର୍ମଚାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି । ଯାତ୍ରୀଙ୍କ ଦାବି ଅନୁସାରେ ଧୂଆଁ ବାହାରୁଥିବା ବଗିରେ ଜଣେ ଟେକ୍ନସିଆନ ଓ ଜଣେ ଆରପିଏଫ କନଷ୍ଟେବଳ ଯାଇଛନ୍ତି   । ଆଉ ସିକନ୍ଦରାବାଦ-ଅଗରତାରା ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି ।