କରୋନା ଉପରେ ଭାରି ପଡୁଛି ସରକାରୀ ଅବ୍ୟବସ୍ଥା । ଛତିଶଗଡ କୋଭିଡ୍ ହସ୍ପିଟାଲରେ ନିଆଁଲାଗି ୫ ମୃତ

143

କନକ ବ୍ୟୁରୋ : ଛତିଶଗଡ ରାୟପୁରରେ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ନିଆଁଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର ରାତିରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଯାଦବ କହିଛନ୍ତି କି ଶନିବାର ସଂନ୍ଧ୍ୟାରେ ହସ୍ପିଟାଲରେ ଅଚାନକ ନିଆଁଲାଗି ଯାଇଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଦମକଳବାହିନୀ ସହ ଘଟଣା ସ୍ଥଳରେ ପହଂଚିଥିଲା । ହେଲେ ସେତେବେଳେକୁ ନିଆଁ ପୁରା ହସ୍ପିଟାଲକୁ କାବୁ କରିଦେଇଥିଲା । ଫଳରେ ଜଣେ ରୋଗୀ ଜଳିଯାଇଥିବା ବେଳେ ଅନ୍ୟ ଚାରିଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ପହଂଚି ଅନ୍ୟ ରୋଗୀ ମାନଙ୍କୁ ଉଦ୍ଧାର କିରବା ସହ ସହରର ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ମୃତକ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।