କନକ ବ୍ୟୁରୋ : ବିଗବସ୍ ବିଜେତା ୟୁଟ୍ୟୁବର ଏଲଭିସ ଯାଦବଙ୍କର ବଢିଛି ଅଡୁଆ । ନୋଏଡା ପୋଲିସ ଏନେଇ ଏଲଭିସଙ୍କ ନାଁରେ ମାମଲା ରୁଜୁ କରିଛି । ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ ସାମିଲ ଥିବା ମାମଲାରେ ଦର୍ଶାଯାଇଛି । ଏକ ଏନଜିଓ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯାହା ଆଧାରରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ।

Advertisment

ମିଳିଥିବା ସୂଚନା ମୁତାବକ, ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି । ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା । ଫଳରେ ପୋଲିସ ଏଲଭିସଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଏଫଆଇଆର ଅନୁଯାୟୀ, ଏହି ଅଭିଯୋଗ ପିପୁଲ ଫର୍ ଆନିମଲ ସଙ୍ଗଠନରେ କାର୍ଯ୍ୟରତ ଗୌରବ ଗୁପ୍ତା କରିଛନ୍ତି । ନୋଏଡାରେ ୟୁଟ୍ୟୁବର ଏଲଭିସ ନିଜର ଫାର୍ମ ହାଉସରେ କିଛି ଲୋକଙ୍କ ସହ ମିଶି ସାପଙ୍କ ସହ ଭିଡ଼ିଓ ସୁଟ୍ କରୁଥିବାର ସୂଚନା ପାଇଥିଲେ ଗୌରବ । ଏହାସହ ବେଆଇନ ପାର୍ଟିର ମଧ୍ୟ ଆୟୋଜନ କରୁଥିଲେ । ଏନେଇ ଜଣେ ଅଜ୍ଞାତ ବ୍ୟକ୍ତି ଏଲଭିସଙ୍କ ସହ ଯୋଗାଯୋଗ କରି ପାର୍ଟି ବାବଦରେ ପଚାରିଥିଲେ । ଏଲଭିସ ରାହୁଲ ନାମକ ଜଣେ ଏଜେଣ୍ଟଙ୍କ ନମ୍ବରରେ ସମ୍ପର୍କ କରିବାକୁ କହିଥିଲେ ଏବଂ ତାଙ୍କ ନାଁ ନେଲେ କାମ ହୋଇଯିବ ବୋଲି କହିଥିଲେ । ପରେ ଉକ୍ତ ଅଜ୍ଞାତ ବ୍ୟକ୍ତି ରାହୁଲଙ୍କ ସହ ସମ୍ପର୍କ କରି ପାର୍ଟି କରିବାକୁ ଅଫର କରିଥିଲେ । ଏହାସହ ବନବିଭାଗ ଓ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ ଅଜ୍ଞାତ ବ୍ୟକ୍ତି । ରାହୁଲ ସାପ ନେଇ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ପୋଲିସ ଓ ବନବିଭାଗର ଟିମ୍ କାବୁ କରିଥିଲା ।