କନକ ବ୍ୟୁରୋ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ କୋଲ୍କାତା ପୁଲିସ ଦୁଇଟି ଫାଷ୍ଟ୍ ଇନ୍ଫର୍ମେସନ୍ ରିପୋର୍ଟ ଦାୟର କରିଛି ।ତୃଣମୂଳ ଛାତ୍ର ପରିଷଦ୍ ସହ ଅନୁବନ୍ଧିତ ବିଦ୍ୟାସାଗର କଲେଜ ଏବଂ କୋଲ୍କାତା ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଦାୟର୍ କରିଥିବା ଏହି ଏଫ୍ଆଇଆର୍ ଦୁଇଟି ଯଥାକ୍ରମେ ଜୋରାସଙ୍କୋ ଏବଂ ଆମ୍ହେର୍ଷ୍ଟ ଷ୍ଟ୍ରିଟ୍ ଥାନାରେ ଫାଇଲ ହୋଇଥିବା ଜଣାପଡ଼ିଛି । ବୁଧବାର ପୂର୍ବାହ୍ନ ୧୧: ୩୦ ମିନିଟ୍ରେ ଭିଡିଓ କନ୍ଫେରେନ୍ସିଙ୍ଗ୍ ଜରିଆରେ ପଶ୍ଚିମବଙ୍ଗ ଅବ୍ଜର୍ଭର୍ମାନଙ୍କ ସହ ନିର୍ବାଚନୀ ହିଂସା ସଂକ୍ରାନ୍ତରେ ନିର୍ବାଚନ କମିସନ୍ଙ୍କର ବୈଠକ ବସିଛି ।
କଲେଜରେ ଭଙ୍ଗାରୁଜା ଏବଂ ବିଦ୍ୟାସାଗରଙ୍କ ଅବକ୍ଷ ପ୍ରତିମା ଭଙ୍ଗା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ଣ ୪ଟାରେ ତୃଣମୂଳ କଂଗ୍ରେସ ଡାକରା ଦେଇଥିବା ରାଲିର ନେତୃତ୍ୱ ନେବେ । ବେଲାଘାଟ ଠାରୁ ବାହାରି ଏହି ପଟୁଆର ଶ୍ୟାମ ବଜାର ଯାଏଁ ଯିବ । ଗତକାଲି ଭଙ୍ଗାରୁଜା ହୋଇଥିବା କଲେଜ ପରିଦର୍ଶନ ପରେ ମମତା କହିଥିଲେ କି, ଅମିତ ଶାହା କ’ଣ ବୋଲି ଭାବୁଛନ୍ତି କି ? ସେ କ’ଣ ଠାକୁର ଯେ ତାଙ୍କ ବିରୋଧରେ କେହି ପ୍ରତିବାଦ କରି ପାରିବେ ନାହିଁ ? ବୁଧବାର ଦିନ ନୂଆଦିଲ୍ଲୀଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ତୃଣମୂଳ ହେଉଛି ବଙ୍ଗ ହିଂସାକାଣ୍ଡର କାରଣ, ବିଜେପି ନୁହେଁ ।