କନକ ବ୍ୟୁରୋ : ଭତା ପାଇଁ ଥାନାରେ ମାମଲା ପହଁଚିବ ଏକଥା, ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସେମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ । ଅଣକା ପଂଚାୟତାର ଏକାଧିକ ଗାଁର ପ୍ରାୟ ୬୦ରୁ ଅଧିକ ହିତାଧିକାରୀ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି, ଗତ କିଛି ମାସ ହେଲା ସେମାନଙ୍କୁ ଭତା ଟଙ୍କା ମିଳୁନି । ଏନେଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀକୁ ପଚାରିବାରୁ ସେଠାରେ ଥିବା ସରପଂଚଙ୍କ ସ୍ୱାମୀ ସମରେନ୍ଦ୍ର ମହାପାତ୍ର ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରୁଛନ୍ତି । ଶେଷରେ ନିରୁପାୟ ହୋଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

କେବଳ ଏତିକି ନୁହେଁ ଆଉ କିଛି ହିତାଧିକାରୀଙ୍କ ବର୍ଷ ବର୍ଷ ଅପେକ୍ଷା କରିବା ପରେ ବି ସେମାନଙ୍କୁ ଭତା ମିଳୁନଥିବା ଅଭିଯୋଗ କରିଛନ୍ତି । ଆଉ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ଗଣମାଧ୍ୟମ ସମ୍ମୁଖକୁ ଆସିନଥିଲେ ବି ସମରେନ୍ଦ୍ର ପାଲଟା ଅଭିଯୋଗ କରିଛନ୍ତି । କହିଛନ୍ତି, ପଂଚାୟତରେ କାର୍ଯ୍ୟରତ ଥିବା ମହିଳା ନିର୍ବାହୀ ଅଧିକାରୀଙ୍କୁ ଦିଲ୍ଳୀପ ନାମକ ଯୁବକ ଗାଳି ଗୁଲଜ କରିବାରୁ ସେ ପ୍ରତିବାଦ କରିଥିଲେ । ଆଉ ସେ ପ୍ରତିବାଦ କରିବାରୁ ଯୋଜନାବଦ୍ଧ ଭାବେ ଏଭଳି ଅଭିଯୋଗ ଅଣାଯାଇଛି ।