ଶିକ୍ଷକଙ୍କୁ ସରକାର ଦେଖାଇଲେ ନାଲିଆଖି ! ଯୁକ୍ତ ଦୁଇ ପରୀକ୍ଷା ଖାତା ନ ଦେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

24

କନକ ବ୍ୟୁରୋ : ଖାତା ଦେଖା ଛାଡି ଆନ୍ଦୋଳନରେ ବସିଥିବା ଅଧ୍ୟାପକଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ମୂଲ୍ୟାୟନରେ ସହଯୋଗ କରୁନଥିବା ଶିକ୍ଷକଙ୍କ ବିରୋଧରେ ଏତଲା ହେବ । ଆଜି ଶିକ୍ଷକଙ୍କ ବିରୋଧରେ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ସରକାରଙ୍କ ନାଲିଆଖିକୁ ଭୟ କରିନାହାଁନ୍ତି ଆନ୍ଦୋଳନରତ ଶିକ୍ଷକ । କହିଛନ୍ତି, ପଛକୁ ହଟିବାର ପ୍ରଶ୍ନ ହଟୁନି ।

୩.୬୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଅଧ୍ୟାପକଙ୍କୁ ନାଲିଆଖି ଦେଖାଇଛି ଉଚ୍ଚଶିକ୍ଷା ପରିଷଦ । ଆଉ ମନମାନିକୁ ସହିବା ମୁଡରେ ସରକାର ନାହାନ୍ତି । ଏଫଆଇଆର ପାଇଁ ନାଲିଆଖି ଦେଖାଇବା ସହ ଆବଶ୍ୟକ ସ୍ଥଳେ ଅନ୍ୟ ପରୀକ୍ଷକଙ୍କୁ ନେଇ ଆଗକୁ ବଢିବାକୁ ଦିଆଯାଇଛି ଗ୍ରୀନ ସିଗନାଲ ।ବ୍ଲକଗ୍ରାଂଟ ଶିକ୍ଷକ ଦୀର୍ଘ ଦିନ ଧରି ଦାବି ପୂରଣ ଲାଗି ରାଜରାସ୍ତାରେ ବସିବା ସହ ମୂଲ୍ୟାୟନରେ ସହଯୋଗ କରୁନଥିଲେ । ଏପରିକି ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକ ଯିବାବେଳେ ବାଧା ଉପୁଜାଇବା ଅଭିଯୋଗ ହୋଇଥିଲା । ଯାହା ସରକାରଙ୍କୁ ଅକଳରେ ପକାଇଥିଲା ।

ପରୀକ୍ଷା ଫଳକୁ ଠିକ ସମୟରେ ବାହାର କରିବା ଯେତେବେଳେ ବିଭାଗ ସାମ୍ନାରେ ଏକ ବଡ ଚାଲେଂଜ ଭାବେ ଉଭା ହେଲା, ଠିକ ସେତିକିବେଳେ କାର୍ଯ୍ୟାନୁଷ୍ଠାନର ପନ୍ଥାକୁ ଆପଣାଇଛନ୍ତି ସରକାର ।
– ପରୀକ୍ଷା ଖାତା ଦେଖିବାକୁ ଆସୁନଥିବା ଅଧ୍ୟାପକଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
– ସରକାରୀ କ୍ଷେତ୍ରରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ପରିଷଦ ନିର୍ଦ୍ଦେଶକ ଓ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଗଭର୍ଣ୍ଣିଂ ବଡିକୁ କାର୍ଯ୍ୟାନୁଷ୍ଠାନର କ୍ଷମତା
– ଯେଉଁମାନେ ମୂଲ୍ୟାୟନରେ ସାମିଲ ହେଉନାହାନ୍ତି ଓ ଏହି କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଏତଲା ହେବ
– ମୂଲ୍ୟାୟନ ଜୋନ୍ ସୁପରଭାଇଜରଙ୍କୁ ପରୀକ୍ଷା ନିୟନ୍ତ୍ରକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି
– ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଯେଉଁମାନେ ମୂଲ୍ୟାୟନରେ ସାମିଲ ହେଉନାହାନ୍ତି, ସେମାନଙ୍କ ସାର୍ଟିଫିକେଟକୁ ଜିଲ୍ଲା ମେଡିକାଲ ବୋର୍ଡ ଯାଂଚ କରିବ

ସମସ୍ୟା ଭିତରେ ମାଟ୍ରିକ ଖାତା ଦେଖା ସରିଥିବା ବେଳେ ଏବେ ଯୁକ୍ତ ୨ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଆଉ ସେପଟେ ଅଧ୍ୟାପକ ସଂଘ କହିଛି, ପଛକୁ ହଟିବାର ପ୍ରଶ୍ନ ଉଠୁନି ।
ପରିଷଦ କହୁଛି, ଠିକ ସମୟରେ ଖାତା ଦେଖା ସରିବ । ହେଲେ ବଡ ପ୍ରଶ୍ନ ଉଠୁଛି, ମୂଲ୍ୟାୟନ ସଠିକ ଭାବେ ହେବ ତ? ଠିକ୍ ସମୟରେ ପରୀକ୍ଷା ଫଳ ବାହାର କରିବାରେ ପରିଷଦ ସମର୍ଥ ହେବ ତ?