କନକ ବ୍ୟୁରୋ : ଲୋକଙ୍କ ଅସୁବିଧା ବୁଝିବା ପାଇଁ କାମ କରୁଥିବା ପୋଲିସ ବାବୁ ଯଦି ନିଜେ ସମସ୍ୟା ସୃଷ୍ଟି କରେ ତାହାଲେ କଣ ହେବ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏପରି ଏକ କାହାଣୀ । ନିଜ ସମସ୍ୟା ନେଇ ପୋଲିସ ବାବୁଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବା ପରେ ଶେଷରେ ଡିସିପିଙ୍କ ପାଖରେ ଗୁହାରି ଶୁଣାଇବାକୁ ପହଁଚିଥିଲେ ରସୁଲଗଡର ଜଣେ ମହିଳା । ତାଙ୍କ ଏତଲା ଉପରେ କାମ କରିବେ କଣ ତାଙ୍କ ଏତଲାଟିକୁ ହିଁ ପୋଲିସ ବାବୁ ହଜାଇ ଦେଇଛନ୍ତି ।
ଅମିତାଞ୍ଜଳି ଜେନା,ବୟସ -୪୧, ଘର ରସୁଲଗଡ, ଭୁବନେଶ୍ୱର । କାନ୍ଦି କାନ୍ଦି ନିଜ କାହାଣୀ ବୟାନ କରୁଥିବା ଏହି ମହିଳାଙ୍କ ଅଭିଯୋଗ ଆପଣଙ୍କୁ ଚକିତ କରିଦେବ । ଥାନାକୁ ଦୌଡି ଦୌଡି ମହିଳା ଜଣକ ମାନସିକ ଭାବରେ ଏତେ ଭାଙ୍ଗି ପଡିଛନ୍ତି ଯେ, ଶେଷରେ ଥାନା ଅଧିକାରୀଙ୍କ ନାମରେ ଅଭିଯୋଗ କରିବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ଏମିତି ଏକ ଅଭିଯୋଗ ଆଣିଛନ୍ତି , ଯାହା ଶୁଣିଲେ ପୁଲିସ ଉପରୁ ସାଧାରଣ ଲୋକଙ୍କ ଭରସା ଉଠିଯିବ, ଥାନାକୁ ଯିବାକୁ ଆପଣ ଭୟ କରିବେ । ଅସହାୟ ଏହି ମହିଳା କେଉଁ କାରଣ ପାଇଁ ଥାନାକୁ ଯାଇଥିଲେ ଏବଂ ନିଜ ଅଭିଯୋଗ ପତ୍ରରେ କଣ ସବୁ ଲେଖିଥିଲେ ତାହା ଭିନ୍ନ କଥା । କିନ୍ତୁ ସବୁଠୁ ବଡ କଥା ହେଉଛି - ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିବା ମହିଳାଙ୍କ ଅଭିଯୋଗ ପତ୍ରକୁ ଆଇଆଇସି ଗାଏବ କରି ଦେଇଛନ୍ତି ।
ଅଭିଯୋଗ ଅନୁସାରେ ଏକ ଜମିଜମା ଗଣ୍ଡଗୋଳକୁ ନେଇ ଉକ୍ତ ସ୍ଥାନରେ କୋର୍ଟଙ୍କ ସ୍ଥିତାବସ୍ଥା ଆଦେଶ ବଳବତର ରହିଛି । ମାମଲା ରଫାଦଫା ନହେବା ପର୍ଯ୍ୟନ୍ତ ଉକ୍ତ ସ୍ଥାନର ସମସ୍ତ କାମ ସ୍ଥଗିତ ରହିବ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ମଂଚେଶ୍ୱର ଥାନା ଅଧିକାରୀ ଖୁଲମଖୁଲା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି ଅମିତାଞ୍ଜଳିଙ୍କ ଓକିଲ ।
କମିଶନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
- କୋର୍ଟଙ୍କ ଆଦେଶକୁ କେମିତି ଅମାନ୍ୟ କରୁଛନ୍ତି ଆଇଆଇସି ?
- ମହିଳାଙ୍କ ଅଭିଯୋଗକୁ ଗ୍ରହଣ ନକରିବା ପଛରେ କଣ ରହିଥିଲା ଉଦ୍ଦେଶ୍ୟ ?
- ମହିଳାଙ୍କୁ କାହିଁକି ବାରମ୍ବାର ଦୌଡିବାକୁ ପଡୁଥିଲା ମଂଚେଶ୍ୱର ଥାନା ?
- ମୋ ସରକାରକୁ ଚ୍ୟାଲେଞ୍ଜ କରୁଛନ୍ତି କି ଏହି ଥାନାର ମୁଖିଆ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/25-7.jpg)