ପଲଟିଗଲା ଉଷସୀ ମାମଲା! ଅଭିନେତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଲେ ଇନ୍ଦ୍ରମଣୀ ସାହୁ

40

କନକ ବ୍ୟୁରୋ : ଅନୁଗୁଳ ଡେରେଙ୍ଗରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲାରେ ପାଲଟା ଉଷସୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଇନ୍ଦ୍ରମଣି ସାହୁ, ଉଷସୀଙ୍କ ନାଁରେ ପାଲଟା ଅଭିଯୋଗ କରି କହିଛନ୍ତି, ଘଟଣା ଦିନ ଉଷସୀ ତାଙ୍କୁ ପ୍ରଥମେ ଚପଲରେ ମାଡ ମାରିଥିଲେ । ଏପରିକି ତାଙ୍କୁ ହତ୍ୟା ଧମକ ବି ଦେଇଥିଲେ । ସେପଟେ ଉଷସୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ଟି ଟିମ୍ ଗଠନ କରିଥିବା ଅନୁଗୁଳ ଏସପି କହିଛନ୍ତି ।

ushashi mishraରାତି ଅଧରେ ରାସ୍ତା ଉପରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଆକ୍ରମଣ ଘଟଣା ନୂଆ ମୋଡ ନେଇଛି । ଉଷସୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ ଇନ୍ଦ୍ରମଣି ସାହୁ । ତାଳଚେର ଏସଡିଜେଏମ୍ କୋର୍ଟରେ ଲିଖିତ ଅଭିଯୋଗ ପରେ କଣିହାଁ ଥାନାରେ ଉଷସୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ଇନ୍ଦ୍ରମଣିଙ୍କ ଅଭିଯୋଗ ଅନୁସାରେ, ସେଦିନ ରାତିରେ ଉଷସୀଙ୍କ ଗାଡି ଇନ୍ଦ୍ରମଣିଙ୍କ ପାଦ ଉପରେ ଚଢିଯାଇଥିଲା । ଇନ୍ଦ୍ରମଣି ଏହାକୁ ବିରୋଧ କରିବାରୁ ଗାଡିରୁ ଓହ୍ଲାଇ ଆସି ଉଷସୀ ତାଙ୍କୁ ଚପଲରେ ମାଡ ମାରିଥିଲେ । ଏପରିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା କରିବାକୁ ଉଷସୀ ଧମକ ଦେଇଥିଲେ ।

ଅନ୍ୟପଟେ ଉଷସୀଙ୍କୁ ଅସଦାଚରଣ ମାମଲାରେ କଣିହାଁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ୨ଟି ଟିମ୍ ଗଠନ କରିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅନୁଗୁଳ ଏସପି କହିଛନ୍ତି ।ଗତ ୨୩ ତାରିଖ ଦିନ ଅନୁଗୋଳ କଣିହାଁର ଡେରେଙ୍ଗରେ ଯାତ୍ରାରେ ଅଭିନୟ ପାଇଁ ଉଷସୀ ମିଶ୍ର ଯାଇଥିବା ଏଭଳି ଘଟଣା ସାମ୍ନାକୁ ଆସିଥିଲା । ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଅଭିନେତ୍ରୀ ଉଷସୀ ମିଶ୍ର । ଏବେ ଉଷସୀଙ୍କ ନାଁରେ ରୁଜୁ ହୋଇଛି ପାଲଟା ମାମଲା ।