କନକ ବ୍ୟୁରୋ : ପଞ୍ଜାବର ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଧଳା କାଗଜ ନେଇ ଯାଉଥିବା ବେଳେ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା ବିରୋଧରେ ‘ଏଫଆଇଆର୍’ ଦିଆଯାଇଛି। ‘ବିଓପି’ ରୋରାନଓ୍ଵାଲାରେ ଥିବା ଜଣେ କନେଷ୍ଟବଳଙ୍କ ପାଖକୁ ଉଡ଼ି ଆସିଥିବା ଉକ୍ତ ପାରା ଗୋଡ଼ରେ ଖଣ୍ଡେ କାଗଜ ବନ୍ଧା ହୋଇଥିଲା।
ଏପ୍ରିଲ୍ ୧୭ ତାରିଖ ଦିନ କଳାଧଳା ରଙ୍ଗର ଏହି ପାରାଟି ଉଡ଼ି ଆସି ପୋଷ୍ଟର କ୍ୟାମ୍ପ୍ ଗାର୍ଡ ଡିୟୁଟି କରୁଥିବା କନେଷ୍ଟବଳ ନୀରଜ କୁମାରଙ୍କ କାନ୍ଧରେ ବସିଥିଲା। ପାକିସ୍ତାନ ଠାରୁ ଏହି ପୋଷ୍ଟର ଦୂରତା ମାତ୍ର ୫୦୦ ମିଟର। ଅଭିଯୋଗ ଅନୁସାରେ, କନେଷ୍ଟବଳ ତୁରନ୍ତ ସେ ପାରାଟିକୁ ଧରି ପକାଇ ପୋଷ୍ଟ୍ କମାଣ୍ଡର୍ ଓଁପାଲ୍ ସିଂହଙ୍କୁ ସୂଚନା ଦେଇଥିଲେ। ସିଂହ ପାରାଟିକୁ ତନ୍ନ ତନ୍ନ କରି ଦେଖିବା ପରେ ତା’ ଗୋଡ଼ରେ ନମ୍ବର ଲିଖିତ ଖଣ୍ଡେ କାଗଜ ଅଠାପଟିଦ୍ୱାରା ଲାଗିଥିବା ଦେଖିଥିଲେ। ଅମୃତସର ଅନ୍ତର୍ଗତ କହରଗଡ଼ ଥାନାରେ ଉକ୍ତ ପାରା ବିରୋଧରେ ‘ଏଫଆଇଆର୍’ ଦାଏର କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ମେ’ରେ ଜମ୍ମୁ ଓ କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରୁ ଅନ୍ୟ ଗୋଟାଏ ପାରା ଧରାପଡ଼ିଥିଲା। ସେ ପାରାଟିକୁ ଗୁପ୍ତଚର କାର୍ଯ୍ୟରେ ନିୟୋଜନ କରିବା ଲାଗି ପାକିସ୍ତାନରେ ତାଲିମ ଦିଆଯାଇଥିବା ସନ୍ଦେହ କରାଯାଉଥିଲା।