କିଏ ପୁରୀକୁ ଦେଲା ପରିଚୟ ? ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବୟାନକୁ ନେଇ ଓଡିଶା ରାଜନୀତିରେ ଝଡ । ଘେରିଲେ ବିରୋଧୀ, ସାରା ରାଜ୍ୟରେ ପ୍ରତିକ୍ରିୟା ।

388

କନକ ବ୍ୟୁରୋ: ଲେଖାଶ୍ରୀଙ୍କ ବୟାନ ପରେ ଉଠିଲା ଝଡ । ପୁରୀକୁ ପରିଚୟ ସମ୍ବିତ ପାତ୍ର ଦେଲେ ବୋଲି ଲେଖାଶ୍ରୀଙ୍କ ବୟାନ ଓଡିଶା ରାଜନୀତିରେ ଝଡ ସୃଷ୍ଟି କରିଛି । ବିଜେଡି ଏହାକୁ ଏକ ସୁଯୋଗ ବୋଲି ବିଚାର କରି ଜୋରଦାର ଆକ୍ରମଣ କରିଛି । ସେପଟେ ବିଜେପି ନେତା ମଧ୍ୟ ଏହି ମାମଲାରେ ଲେଖାଶ୍ରୀଙ୍କ ସପକ୍ଷରେ ବାହାରି ନାହାନ୍ତି । ଲେଖାଶ୍ରୀ ଏନେଇ କୌଣସି ଉତ୍ତର ନରଖି ପାଲଟା ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ମନ୍ଦିର କେବେ ଖୋଲିବ ?

ତେବେ କୌଣସି ବ୍ୟକ୍ତିକୁ ନେଇ ପୁରୀର ପରିଚୟ କହିଲେ, ଯେ କେହି ହେଲେ ବି ହସିବ । କାରଣ ପୁରୀର ପରିଚୟ କ’ଣ ଏବଂ ଓଡ଼ିଶାକୁ ପରିଚୟ ଦେଇଛି କିଏ, ତାହା ସାରା ଦୁନିଆ ଜାଣିଛି । ହେଲେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି- ସମ୍ବିତଙ୍କ ଯୋଗୁଁ ଲୋକ ପୁରୀକୁ ଜାଣିଲେ । ଆଉ ଏହି ମନ୍ତବ୍ୟକୁ ନେଇ ଝଡ଼ ଉଠିବା ପରେ ଦୁଇ ଦୁଇ ଥର ସଫେଇ ରଖିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ ଦେଇଥିବା ମୂଳ ବୟାନଠାରୁ ପରବର୍ତ୍ତୀ ଦୁଇଟି ବୟାନ ଅତି ଖାପ୍ ଛଡ଼ା, କାରଣ ମୂଳ ବୟାନର ସଠିକ୍ ଉତ୍ତର ନୁହେଁ ପରବର୍ତୀ ଦୁଇଟି ବୟାନ୍ । ତେବେ ଲେଖାଶ୍ରୀଙ୍କ ଏହି ବୟାନକୁ ନେଇ ଥାନାରେ ମାମଲା ହୋଇଥିବା ବେଳେ ବିଜୁ ଜନତା ଦଳ, ବିଜେପି ନେତ୍ରୀଙ୍କୁ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛି ।

ସମାନ ଢ଼ଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଲେଖାଶ୍ରୀଙ୍କ ଏହି ବୟାନକୁ ଶସ୍ତା କଥା ବୋଲି ନିନ୍ଦା କରିଛନ୍ତି ।ଦଳୀୟ ନେତାଙ୍କୁ ପ୍ରଶଂସା କରିବାକୁ ଯାଇ ଲେଖାଶ୍ରୀ ଯେଉଁ କଥାଟି କହିଛନ୍ତି, ତାହା ସାରା ଓଡ଼ିଶାରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଆଉ ଏଭଳି ସ୍ଥିତିରେ ଲେଖାଶ୍ରୀଙ୍କୁ ସୁରକ୍ଷା ଦେବା ବିଜେପି ପାଇଁ ଅଡୁଆ ହୋଇଯାଇଛି । ଓଲଟା ଲେଖାଶ୍ରୀ ଦୁଃଖ ପ୍ରକାଶ କରିବା କଥା ବୋଲି କହିଛନ୍ତି ବିଜେପିର ପୂର୍ବତନ ବିଧାୟକ । ଲେଖାଶ୍ରୀଙ୍କ ଏହି ବିବାଦୀୟ ବୟାନ ମାମଲା ଥାନାରେ ପହଂଚିଛି । ଆଉ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।