ବାକି ଟଙ୍କା ଦେଉ ନାହାନ୍ତି ସାଂସଦ । ପୁଣି ଅଡୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଗତ ନିର୍ବାଚନରେ ପୋଷ୍ଟର, ଫ୍ଲେକ୍ସ ପ୍ରିଣ୍ଟ କରି ୧୧ ଲକ୍ଷ ୪୫ ହଜାର ଟଙ୍କା ବାକି ରଖିଥିବା ଅଭିଯୋଗ

534

କନକ ବ୍ୟୁରୋ: ପୁଣି ଅଡୁଆରେ ଅନୁଭବ ମହାନ୍ତି । କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାଦ ପିଛା ଛାଡ଼ୁନି । ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଅନୁଭବ । ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି ତାଙ୍କ ବିରୋଧରେ । ବଳଦେବଜୀଉ ଆଡ୍ ମିଡିଆ ନାମକ ଏକ ସଂସ୍ଥା ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ଏତଲା ଦେଇଛି ।

ଗତ ନିର୍ବାଚନରେ ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୩୨ ଲକ୍ଷ ୫୬ ହଜାର ଟଙ୍କାର କାମ କରାଇଥିବା ବେଳେ ୧୧ ଲକ୍ଷ ୪୫ ହଜାର ଟଙ୍କା ଅନୁଭବ ବାକି ରଖିଥିବା ଅଭିଯୋଗ କରିଛନ୍ତି ବଳଦେବଜୀଉ ଆଡ ମିଡିଆର ମାଲିକ ସ୍ôମତିରଂଜନ ସ୍ୱାଇଁ । ବାରମ୍ବାର ମାଗିବା ପରେ ବି ଟଙ୍କା ନମିଳିବାରୁ ସେ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି । ଏହାର ନକଲ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଇଥିବା କହିଛନ୍ତି ସ୍ମୃତିରଂଜନ ।

ସେପଟେ ଅଭିଯୋଗ ବାବଦରେ ଅନୁଭବ ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରା ଯାଇଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।