ସମ୍ବଲପୁରର ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ।

221

କନକ ବ୍ୟୁରୋ : ସମ୍ବଲପୁର ଚାରଭାଟି ଛକରେ ଖୋଲିଥିବା ‘ଓଡ଼ିଆ ଅଭଡ଼ା’ ରେଷ୍ଟୁରାଣ୍ଟ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଏଥିସହ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଆଇନଜୀବୀ ଅନୀଲ କୁମାର ସାହୁ ଏହି ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଅବଢ଼ା (ଶ୍ରୀମନ୍ଦିରର ମହାପ୍ରସାଦ) ନାଁରେ ରେଷ୍ଟୁରାଣ୍ଟରେ ଟେବୁଲ ଉପରେ ଖାଦ୍ୟ ବିକ୍ରି ମହାପ୍ରସାଦ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ଏହି ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ।

ତେବେ ଏହି ବିବାଦକୁ ନେଇ ରେଷ୍ଟୁରାଣ୍ଟ ମାଲିକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଜଗନ୍ନାଥଙ୍କ ମହାପ୍ରସାଦ କିମ୍ବା ଜଗନ୍ନାଥଙ୍କୁ ଅବମାନନା କି ଅପମାନ କରିବା ଆଦୌ ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ସମ୍ବଲପୁର ଗ୍ରାହକଙ୍କୁ ନିଆରା ଢଙ୍ଗରେ ଶୁଦ୍ଧ ନିରାମିଷ ବ୍ୟଞ୍ଜନ ପରଷିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହି ରେଷ୍ଟୁରାଣ୍ଟ ପାଇଁ ତାଙ୍କୁ ଖାଦ୍ୟ ସୁରକ୍ଷା ଲାଇସେନ୍ସ ମିଳିଥିବା ଶ୍ରୀ ମହାନ୍ତି କହିଛନ୍ତି । ତଥାପି ଯଦି କାହାରି ଧର୍ମୀୟ ଭାବନା ପ୍ରତି ଆଘାତ ଆସିଥିବ, ତେବେ ସେ ନାମ ପରିବର୍ତ୍ତନ ପାଇଁ ଚିନ୍ତା କରିବେ ବୋଲି ସମ୍ବାଦକୁ କହିଛନ୍ତି  । ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରସାଦ, ନିର୍ମାଲ୍ୟ ନାଁରେ ହୋଟେଲ ଚାଲୁଥିବାର ମଧ୍ୟ ସେ କହିଛନ୍ତି ।

ସେପଟେ ପୁରୀ ଯୁବ ଅଧିବକ୍ତା ସଂଘ ଅଭିଯୋଗ କରିଛି ଯେ, ମହାପ୍ରଭୁଙ୍କ ଅବଢ଼ାର ଅସମ୍ମାନ କରି ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରଷାଯାଉଛି  । ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଅବମାନନା କରାଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା ରହିଛି । କିନ୍ତୁ ଟଙ୍କା ଉପାର୍ଜନ ପାଇଁ କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳାଯାଉଛି ଓ ଅବଢ଼ା ନାମରେ ଭ୍ରମ ସୃଷ୍ଟି କରି କୁଡୁଆରୁ ଭାତ, ଡାଲି, ବେସର ପରସା ଯାଉଥିବା ଅଭିଯୋଗ ହୋଇଛି  । ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଅବଢ଼ା ପ୍ରତି ଏପରି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ।