କନକ ବ୍ୟୁରୋ : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଅଭିଯୋଗ। କାଉନସିଲ ସାର୍ଟିଫିକେଟ ପାଇଁ ଅଧିକ ଟଙ୍କା ଦାବି କରି ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଧମକ। ଏନେଇ କର୍ତ୍ତପକ୍ଷଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ଦାୟର କରିଛନ୍ତି ବିପିଏ ପ୍ରଥମ ବର୍ଷର ଛାତ୍ର ନୀଳାମ୍ବର ଦାସ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି। ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି କଲେଜ୍ ଅଧ୍ୟକ୍ଷ ବିଜୟ କୁମାର ଜେନା। ନୀଳାମ୍ବର ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି କରି ଶୈକ୍ଷିକ ବାତାବରଣ ନଷ୍ଟ କରୁଛନ୍ତି, ଏନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ଥାନାର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି। ସାର୍ଟିଫିକେଟ ପାଇଁ ୨୦୦ ଟଙ୍କା ଫି ଦେବାର ନିୟମ ରହିଛି, ତେବେ କଲେଜ କର୍ତ୍ତୃପକ୍ଷ ବିନା ରସିଦରେ ଛାତ୍ରଛାତ୍ରୀଙ୍କ ଠାରୁ ୨୩୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଏଭଳି ଦୁର୍ନୀତିକୁ ବିରୋଧ କରିବାରୁ ଗତ ଜୁନ୍ ୨୮ ତାରିଖରେ ନୀଳାମ୍ବରଙ୍କୁ କଲେଜ ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟକୁ ନିଆଯାଇଥିଲା। ସେଠାରେ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ମିଶି ତାଙ୍କୁ ଗାଳି କରିବା ସହ କଲେଜ ଓ ହଷ୍ଟେଲରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏସବୁ ଧମକ ପରେ ବି ବିରୋଧ ଜାରି ରଖିବାରୁ ତାଙ୍କୁ ମାଡ଼ ମରାଯାଇଥିଲା। ଏଭଳି ସେ କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ତାଙ୍କ ଘରକୁ ମିଛ ନୋଟିସ ପଠାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ର ନୀଳାମ୍ବର ଦାସ।