ନିଜ ବିଲ୍ଡିଂକୁ ହୋଟେଲରେ ପରିବର୍ତ୍ତନ କଲେ ସୋନୁ ସୁଦ । ଅନୁମତି ନେଇ ନଥିବାରୁ ସୋନୁଙ୍କ ନାଁରେ ମାମଲା ଦାୟର କଲା ବିଏମସି ।

495

କନକ ବ୍ୟୁରୋ : ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସରେ ଅଭିଯୋଗ କରିଛି  । ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଛି କି ସୋନୁ ଜୁହୁ ସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇ ନାହାନ୍ତି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।

ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ୍ଦ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି ।

ସୋନୁଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସି ଠାରୁ ଅନୁମତି ନେଇଛନ୍ତି ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।