କୋଭିଡ୍ ନିୟମ ଭାଙ୍ଗି ହଟହଟ୍ଟା ୨ ମନ୍ତ୍ରୀ : ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପଡିଲା ମହଙ୍ଗା

153

କନକ ବ୍ୟୁରୋ : ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପଡିଲା ମହଙ୍ଗା । ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ଶାସକ ଦଳର ୨ ମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ । ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଶବ ପାଖରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିିଥିଲା । ହେଲେ ଅଧିକାଂଶ ଲୋକ ଏଠାରେ କୋଭିଡ୍ ନିୟମର ଖୋଲା ଖୋଲି ଉଲଙ୍ଘନ କରିଥିଲେ । ନା ଥିଲା ମୁହଁରେ ମାସ୍କ ନା ସାମାଜିକ ଦୂରତାକୁ ଥିଲା ଖାତର ।

ଏଭଳି ସ୍ଥିତିରେ କରୋନା ପଜିଟିଭ୍ ଥିବା ବିଜେଡିର ଦୁଇ ହେଭିୱେଟ୍ ମନ୍ତ୍ରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଥିଲା । ସେମାନେ ଥିଲେ ମନ୍ତ୍ରୀ ସମୀର ରଂଜନ ଦାସ ଓ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଏମାନେ ବିଧାନସଭା ବସିବା ପୂର୍ବରୁ ହୋଇଥିବା କୋଭିଡ୍ ଟେଷ୍ଟରେ ପଜିଟିଭ୍ ଥିବା ବେଳେ କେମିତି ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ ତାହାକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଘେରି ଥିବା ବେଳେ କୋଭିଡ୍ କଟକଣାର ଖୋଲା ଖୋଲି ଉଲଙ୍ଘନ ହୋଇଥିବା ଅଭିଯୋଗ କରି ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ପଜିଟିଭ୍ ଥିବା ବେଳେ କିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଲେ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା ।
ସେପଟେ ଏହି ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ବିଧାୟକ ଉମା ସାମନ୍ତରାୟ ନିଜର ଭୁଲ ସ୍ୱିକାର କରି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି ଭୁଲ ହୋଇଛି, ଆଇନ ଯାହା ଦଣ୍ଡ ଦେବ ତାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ।