ରାଉରକେଲାର ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ଫିନସର୍ଭ ପ୍ରାଇଭେଟ ଲିମିଟେଡ ନାଁରେ ୨୫୧ କୋଟିର ଠକେଇ ଅଭିଯୋଗ : ଜାଲ ଖାତା ଖୋଲି ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର; ସିଇଓଙ୍କ ନାଁରେ ଆସିଲା ଅଭିଯୋଗ

132

କନକ ବ୍ୟୁରୋ : ରାଉରକେଲାରେ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ତଥା ମାଇକ୍ରୋ ଫାଇନାସ ସଂସ୍ଥା ସଂବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡ୍ ରେ ୨୫୧ କୋଟିର ଠକେଇ ଅଭିଯୋଗ । ଜମାକାରୀଙ୍କ ଖାତାରେ ଏହି ହେରଫେର ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଜାଲ୍ ଖାତା ଖୋଲି ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସଂବନ୍ଧର ସିଇଓ ଦୀପକ କିଣ୍ଡୋଙ୍କ ଇସାରାରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ସଂସ୍ଥା ବିଭିନ୍ନ ବ୍ୟାଙ୍କ ଠାରୁ ଋଣ ଆଣି ତାହାକୁ ଲଘୁ ଋଣ ଆକାରରେ ଗ୍ରାମାଂଚଳରେ ପ୍ରଦାନ କରିଥାଏ ।

ତେବେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଗୁଡିକର ଋଣ ରାଶି ଫେରସ୍ତ କରିବାରେ ସଂବନ୍ଧ ବିଫଳ ହୋଇଥିଲା । ଫଳରେ ସଂସ୍ଥାର ଆର୍ଥିକ କାରବାର ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ ସେପ୍ଟେମ୍ୱର ମାସ ଶେଷ ଆଡକୁ ସଂସ୍ଥା ଭିତରେ ୨୫୧ କୋଟିର ଠକେଇ ହୋଇଛି । ଏ ସମ୍ପର୍କରେ ସଂସ୍ଥାର ୪ ଜଣ ବରିଷ୍ଠ ଅଧିକାରୀ ପରିଚାଳନା ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲେ । ଋଣ ଜାଲିଆତି କରି ଏହି ଠକେଇ ହୋଇଥିବା ନେଇ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ଏହି ମାମଲାର ଅଭ୍ୟନ୍ତରୀଣ ତଦନ୍ତ ଚାଲିଛି । ସୂଚନା ଅନୁସାରେ ସଂବନ୍ଧ ଉପରେ ମୋଟ୍ ଉପରେ ୪୩୩ କୋଟି ଟଙ୍କାର ଋଣ ବକେୟା ରହିଛି । ସେଥିରୁ ୩୮୩ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଋଣ ଆସିଥିଲା ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ୟେସ୍ ବ୍ୟାଙ୍କ୍, ବନ୍ଧନ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ୍, ଡିସିବି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ନର୍ଦନ ଆର୍କ କ୍ୟାପିଟାଲ ଏବଂ ସିଡିବି ଏହାକୁ ଋଣ ଦେଇଥିଲେ । ଏହି ସବୁ ସଂସ୍ଥାର ଋଣ ସୁଝିବାରେ ବିଫଳ ରହିବା ପରେ ସଂବନ୍ଧର ଗ୍ରାହକଙ୍କୁ ଋଣ ଦେଇଥିବା ଖାତାର ଯାଂଚରୁ ଏହି ଦୁର୍ନୀତି ସାମ୍ନାକୁ ଆସିଛି । ସଂସ୍ଥା ଚଳିତ ବର୍ଷ ସେପ୍ଟେମ୍ୱର ମାସ ସୁଦ୍ଧା ୩୯୧ କୋଟିର ଋଣ ଦେଇଛି । ଏଥିରୁ ୧୪୦ କୋଟି ଟଙ୍କାର ହିସାବ ମିଳୁଛି । ୨୫୧ କୋଟି ଟଙ୍କାର କୌଣସି ହିସାବ ନାହିଁ । ସାଧାରଣତଃ ଖାତା ପିଛା ୨୫ ହଜାର ଟଙ୍କାର ଋଣ ଦେଇଥାଏ ସଂସ୍ଥା । ତେଣୁ ଏତେ ବଡ ପରିମାଣର ଅର୍ଥ ହେରଫେର ପାଇଁ ବିପୁଳ ପରିମାଣରେ ଜାଲ ଖାତା ଖୋଲାଯାଇଥିବା ସନ୍ଦେହ କରାଯାଉଛି ।