ଗାଡିଚାଳକ ବାହାନା କଲେ କାର୍ଯ୍ୟାନୁଷ୍ଠାନ: ଅମାନିଆଙ୍କୁ ରୋକିବା ପାଇଁ ଛକ ଛକରେ ପୁଲିସର କଡାକଡି ଚେକିଂ; ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ଆଦାୟ ହେଉଛି ଫାଇନ୍

1,054

କନକ ବ୍ୟୁରୋ: ଗାଡିଚାଳକ ବାହାନା କଲେ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରରେ ଏଭଳି ପନ୍ଥା ଆପଣେଇଛି କମିଶନରେଟ ପୁଲିସ । ମାସ୍କ ନ ପିନ୍ଧି ବଜାରକୁ ଗଲେ ଫାଇନ ଆଦାୟ କରାଯାଉଛି । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ଛକରେ ଚେକିଂକୁ ଜୋରଦାର କରାଯାଇଛି । ଅନେକ ଗାଡି ଚାଳକ ବାହାନା କରି ପରିବା ଓ ଔଷଧ ନାଁରେ ବାହାରେ ବୁଲୁଥିବାରୁ କଡା ଆଭିମୁଖ୍ୟ ଆପଣେଇଛି ପୁଲିସ ।

ସେପଟେ, ସାରା ଦେଶରେ ତାଲାବନ୍ଦ ଚାଲିଥିବା ବେଳେ ଯାଜପୁର ଜିଲ୍ଲାପାଳ ଏକ ବଡ ନିଷ୍ପତି ନେଇଛନ୍ତି । ଆଜିଠାରୁ ଯାଜପୁରରେ ଖୋଲିଛି ବହି, ବିଦ୍ୟୁତ ଉପକରଣ ସାମଗ୍ରୀ ଓ ଇଲେକ୍ଟ୍ରିକାଲ ଦୋକାନ । ଲକ୍ଡାଉନ୍ ପ୍ରଭାବରେ ସ୍କୁଲ କଲେଜ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି ।

କାରଣ ପାଠ୍ୟ ପୁସ୍ତକ ଓ ପାଠ୍ୟ ଉପକରଣ ଦୋକାନ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ସକାଳ ୬ଟାରୁ ୧୦ଟା ମଧ୍ୟରେ ବହି, ବିଦ୍ୟୁତ ଉପକରଣ ସାମଗ୍ରୀ ଓ ଇଲେକ୍ଟ୍ରିକାଲ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ । ଏହି ସମୟରେ ଗ୍ୟାରେଜ ଓ ମରାମତି ଦୋକାନ ମଧ୍ୟ ଖୋଲିଥିବା ସୂଚନା ମିଳିଛି ।