ଡାକ୍ତରଖାନା ଯାଇ ଗାଁରୁ ବାସନ୍ଦ : କେନ୍ଦୁଝର ଘଷିପୁରା ଆସିଲା ଅଭାବନୀୟ ଖବର
ନବଜାତକ ସହ ମାଆ ହସପିଟାଲ ଯିବାରୁ ଅପବିତ୍ର କହି ବାସନ୍ଦ କଲେ ଗାଁ ଲୋକେ; ଏତଲା ପରେ ହେଉନି କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ନବଜାତକ ଶିଶୁ ସହ ମାଆ ଚିକିତ୍ସାଳୟରେ ଭର୍ତ୍ତି କରିବାରୁ ଗାଁରୁ ସାମାଜିକ ବାସନ୍ଦ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଯୁଗଳକିଶୋରପୁର ଗ୍ରାମର ଗୁନାରାମ ମୁର୍ମୁଙ୍କ ପତ୍ନୀ ସୁଗି ମୁର୍ମୁ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ୨୯ ତାରିଖ ରାତି ପ୍ରାୟ ୧୦ଟାବେଳେ ତାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଗାଁରେ ପହଞ୍ଚିବାବେଳକୁ ସୁଗି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇସାରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ମା ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ।
ଗତକାଲି ଉଭୟ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ମା’ ଓ ଶିଶୁ ଘରେ ପହଞ୍ଚିବା ପରେ ଗ୍ରାମରେ ସଭା ବସିଥିଲା । ଘରେ ଜନ୍ମ ହୋଇଥିବା ଛୁଆ ଡାକ୍ତରଖାନା ଯିବାଦ୍ବାରା ଗାଁ ଅପବିତ୍ର ହୋଇଛି । ପୂଜାପାଠ କରିବାପାଇଁ ଗୁନାରାମଙ୍କୁ ତିନିଟି କୁକୁଡ଼ା, ସମସ୍ତ ପୂଜାସାମଗ୍ରୀ ଓ ହାଣ୍ଡିଆ ଦେବାକୁ ଗ୍ରାମ ମୁଖିଆ ଶ୍ୟାମ ଟୁଡ଼ୁ ନିର୍ଦେଶ ଦେଇଥିଲେ ।
ଏହା ଅନ୍ଧବିଶ୍ବାସ ହୋଇଥିବାରୁ ଗୁନାରାମ କୁକୁଡ଼ା, ହାଣ୍ଡିଆ ଓ ପୂଜା ସାମଗ୍ରୀ ଦେବାକୁ ମନା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସଭାରେ ବସିଥିବା ଲୋକେ ତାଙ୍କୁ ଗ୍ରାମର ସମସ୍ତ ସାମାଜିକ କାର୍ଯ୍ୟକ୍ରମରୁ ବାସନ୍ଦ କରିବା ନିଷ୍ପତ୍ତି ନେଇଥିଲେ । ଗୁନାରାମଙ୍କୁ ସାମାଜିକ ବାସନ୍ଦ କରାଯିବା ପରେ ସେ ସୋମବାର ସନ୍ଧ୍ୟାରେ ଘସିପୁରା ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଛନ୍ତି । ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।