ଜିରୋ ନାଇଟରେ ସହରରେ ବୁଲୁଥିଲେ ମାତାଲ ଡ୍ରାଇଭର । ଭୁବନେଶ୍ୱରରେ ୨୨ଜଣ ମଦୁଆ ଗାଡି ଚାଳକଙ୍କ ଠାରୁ ଚାଲାଣ କାଟିଲା ପୋଲିସ ।

312

କନକ ବ୍ୟୁରୋ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଉତ୍ସାହର ପରିବେଶ ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଜିରୋ ନାଇଟ୍ ସେଲିବ୍ରେସନ୍ । ବିଭିନ୍ନ ହୋଟେଲ ମାନଙ୍କରେ ବେଶ୍ ମଉଜମସ୍ତିରେ ଲୋକେ ପାଳନ କରିଛନ୍ତି । ବିଶେଷ କରି ଯୁବଗୋଷ୍ଠୀଙ୍କ ଭିତରେ ଏହି ଉତ୍ସାହର ସ୍ତର ବେଶ୍ ଉପରେ ରହିଥିଲା । ଅନ୍ୟପଟେ ମଉଜ କରିବା ସହ ମାତାଲ ହୋଇଥିଲେ କିଛି ବ୍ୟକ୍ତି । କେବଳ ସେତିକି ନୁହେଁ, ଏଭଳି କିଛି ବ୍ୟକ୍ତି ରାତିରେ ମାତାଲ ଅବସ୍ଥାରେ ଗାଡି ଚଲାଉଥିବା ବେଳେ ଧରାପଡିଛନ୍ତି । ବିଭିନ୍ନ ଛକରେ ପୋଲିସ ପାଟ୍ରୋଲିଂ କରିବା ସହ ରାତିରେ ଗାଡି ଚାଳକ ମାନଙ୍କୁ ଯାଂଚ କରିଛି ।

ମିଳିଥିବା ସୂଚନା ଅନୁସାରେ, କମିଶରେଟ ପୋଲିସ କେବଳ ଭୁବନେଶ୍ୱରରେ ୨୨ ଜଣ ବ୍ୟକ୍ତିଙ୍କୁ ମଦ ପିଇ ଗାଡି ଚଲାଇବା ବେଳେ ଧରିଛନ୍ତି । ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ ଏଭଳି ଧରପଗଡ ହୋଇଥିବା ଜଣାପଡିଛି । ଅନ୍ୟପଟେ କଟକରେ ୧୨ ଜଣଙ୍କ ବିରୋଧରେ ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ଚାଲାଣ କାଟିଛି କମିଶନରେଟ ପୋଲିସ । କଟକର ବିଭିନ୍ନ ଥାନା ଅଂଚଳରେ ଗତକାଲି ମଧ୍ୟରାତ୍ରିରେ ଟ୍ରାଫିକ୍ ଖିଲାପ କରିଥିବା ଅଭିଯୋଗରେ ମୋଟ ୧ ଲକ୍ଷ ୭୧ ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି ।

ତେବେ କମିଶନରେଟ ପୋଲିସ ଜଣ ପିଛା ୧ ହଜାର ଟଙ୍କା ଲେଖାଏଁ ଚାଲାଣ କାଟିଥିବା ଜଣା ପଡିଛି । ନୂଆ ମଟରଯାନ ଆଇନ ଅନୁସାରେ ମାତାଲ ଡ୍ରାଇଭର ଧରାପଡିଲେ ୧୦ ହଜାର ଟଙ୍କାର ଜରିମାନା ସହ ଜେଲର ବ୍ୟବସ୍ଥା ରହିଛି । କିନ୍ତୁ ଜିରୋ ନାଇଟ୍ ଦିନ ଧରା ପଡିଥିବା ମାତାଲ ଡ୍ରାଇଭରଙ୍କ ବିରୋଧରେ ମାତ୍ର ୧ ହଜାର ଟଙ୍କାର ଚାଲାଣ କଟାଯାଇଛି । ତେଣୁ ନୂଆ ବର୍ଷରେ ମାତାଲଙ୍କୁ ରିହାତି ଦିଆଯାଇଛି ବୋଲି କଟାକ୍ଷରେ କୁହାଯାଉଛି ।