ମାକ୍ସ ନପିନ୍ଧି ତଣ୍ଡ ଗଣିଲେ । ୬୧ ଜଣଙ୍କ ଠାରୁ ଆଦାୟ ହେଲା ୧୨,୨୦୦ ଟଙ୍କା ।

123

କନକ ବ୍ୟୁରୋ : କରୋନା ସଂକ୍ରମଣ ନହେବା ପାଇଁ ଘରୁ ବାହାରକୁ ବାହାରିଲା ସମୟରେ ମାକ୍ସ ଲଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି I ଯଦି କେହି ମାକ୍ସ ନଲଗାଇ ବାହାରକୁ ଯାଉଥିବେ, ତେବେ ତାଙ୍କ ଠାରୁ ୨ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିୟମ ଲାଗୁ ହୋଇଛି I ଏହା ସତ୍ତ୍ବେ କିଛି ଲୋକେ ମାକ୍ସ ନଲଗାଇ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି I ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ଲୋକେ ନିୟମ ମାନିବାକୁ ନାରାଜ । ବିଭିନ୍ନ ଆଳରେ କରୋନା କଟକଣା ଭାଙ୍ଗିବ‌ାକୁ ଉଦ୍ୟମ ଚଳାଇଛନ୍ତି । ମାକ୍ସ ନ ବାନ୍ଧି ବୋଲଗଡ଼ର ୬୧ ଜଣ ତଣ୍ଡ ଗଣିଛନ୍ତି । ମାକ୍ସ ନ ବାନ୍ଧି ବଜାରକୁ ଆସୁଥିବା ଲୋକଙ୍କୁ ସଚେତନ କରିବା ସହିତ ସେମାନଙ୍କ ଠାରୁ ନିୟମ ଅନୁଯାୟୀ ଜରିମାନା ଆଦାୟ କରିବା ପାଇଁ ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡା ଦୁଇ ଦିନ ହେବ ଉଦ୍ୟମ ଚଳାଇଛନ୍ତି । ଆଜି ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ଠାରେ ମାକ୍ସ ନଲଗାଇ ଯାତାୟାତ କରୁଥିବା ୩୧ଜଣଙ୍କ ଠାରୁ ମୋଟ ୬ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡାଙ୍କ ଠାରୁ ସୂଚନା ମିଳିଛି I

ସେହିପରି ପୂର୍ବଦିନ ମଧ୍ୟ ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ବିଭିନ୍ନ ରାସ୍ତାରେ ମାକ୍ସ ନଲଗାଇ ଯାତାୟାତ କରୁଥିବା ୩୦ଜଣଙ୍କ ଠାରୁ ମୋଟ ୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା I ତେବେ କରୋନା ସଂକ୍ରମଣ ନହେବା ପାଇଁ ଜନସାଧାରଣଙ୍କ ସମେତ ସରକାର, ପ୍ରଶାସନ, ପୁଲିସ, ଡାକ୍ତର, ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉଦ୍ୟମ କରୁଛନ୍ତି I ଏଥିପାଇଁ ଜାରି ହୋଇଥିବା ନିୟମକୁ ମାନିବା ପାଇଁ ଆମେ ବାଧ୍ୟ ହୋଇ ଜରିମାନା ଆଦାୟ କରୁଛୁ । ଜରିମାନା ଆଦାୟ କରିବା ଆମର ଲକ୍ଷ୍ୟ ନୁହେଁ, କେବଳ କରୋନାକୁ ହରାଇବା ପାଇଁ ସମସ୍ତେ ଏକ ହୋଇ ଲଢେଇ କରିବା ପାଇଁ ଏହା ଏକ ଆହ୍ୱାନ ବୋଲି ତହସିଲଦାର ମୋନାଲିସା ପଣ୍ଡା କହିଛନ୍ତି I