ସାମାଜିକ ଦୂରତା ନ ରଖିଲେ ଗଣିବେ ତଣ୍ଡ । ମାସ୍କ ନ ପିନ୍ଧିଲେ ଦୋକାନ ମନା, ୬୦ ଦିନ ପାଇଁ ଜାରି ରହିବ କଡା କଟକଣା ।

878

କନକ ବ୍ୟୁରୋ : ସାମାଜିକ ଦୂରତା ରକ୍ଷା ନକଲେ ଗଣିବାକୁ ପଡିବ ୫ଶହ ଟଙ୍କା ଜରିମାନା । ଭୁବନେଶ୍ୱର କଟକ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗାଇଡଲାଇନ ଜାରି କରିଛି କମିଶନରେଟ ପୁଲିସ । ଏହି ଅଧିନିୟମ ମେ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ସାମାଜିକ ବ୍ୟବଧାନ କହିଲେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ ମିଟର ବା ୬ ଫୁଟ ରହିବ ।

ସବୁ ଦୋକାନ ମାଲିକ ନିଜ ଦୋକାନ ପରିସରରେ ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ । ବିଏମସି ଓ ସିଏମସିର ଅନୁମତି ପାଇନଥିଲେ ଦୁଇ ମହାନଗର ନିଗମ ଅଞ୍ଚଳରେ ଦୋକାନ ଖୋଲି ପାରିବେ ନାହିଁ । ଏହାଛଡା ଦୋକାନ ଖୋଲିବା ପାଇଁ ଦିଆଯାଇଥିବା ସମୟ ନିର୍ଘଣ୍ଟକୁ କଡାକଡି ଭାବେ ପାଳନ କରିବେ । ସେହିପରି ଗ୍ରାହକମାନେ ମଧ୍ୟ କିଣାକିଣି କଲାବେଳେ ସାମାଜିକ ଦୂରତା ରକ୍ଷା ଓ ଶୃଙ୍ଖଳିତ ଆଚରଣ କରିବେ । କେହି ସାମାଜିକ ଦୂରତା ନମାନିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସକୁ ନଜଣାଇଲେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲକଙ୍କୁ ସମାନ ଭାବେ ଦାୟୀ କରାଯିବ । ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ସର୍ବଦା ମାସ୍କ ପିନ୍ଧିବେ ।

ମୁଖା ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନରେ ପଶିବାକୁ ଦିଆଯିବ ନାହିଁ ଓ ଦୋକାନରେ ଥିବା ବେଳେ ଗ୍ରାହକମାନେ କୌଣସି ସମୟରେ ମୁଖା ଖୋଲିବେ ନାହିଁ । ପ୍ରତ୍ୟେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବେ । କୌଣସି ବ୍ୟକ୍ତି ବଜାର ଅଞ୍ଚଳକୁ ଗୁଟଖା, ପାନ ପାଟିରେ ରଖି ଯିବେ ନାହିଁ ଓ ବାହାରେ ଛେପ ପକାଇ ପାରିବେ ନାହିଁ । ଏସବୁ ଆଇନ ମେ ମାସ ୧ ତାରିଖରୁ ଭୁବନେଶ୍ୱର ଓ କଟକରେ ଲାଗୁ ହେବ । ଆଉ ଏହି ନିୟକୁ ଯିଏ ଉଲ୍ଲଂଘନ କରିବ ଓଡିଶା ସହରାଂଚଳ ଆଇନର ଧାରା ୯୬-ଡି ଅନୁସାରେ ୫ ଶହ ଟଙ୍କାର ଜରିମାନା ଗଣିବେ ।