କନକ ବ୍ୟୁରୋ : ସ୍ୱାଭାବିକ ଜୀବନ ଜିଉଁଥିବା ସ୍ୱାମୀ ଯଦି ହଠାତ୍ ଅକାମୀ ହୋଇଯାଆନ୍ତି, ନିଜେ କିଛି କରିବା ପାଇଁ ସମର୍ଥ ହୁଅନ୍ତି ନାହିଁ । ସେତେବେଳେ ଜଣେ ସ୍ତ୍ରୀ କେମିତି ସଂଘର୍ଷ କରନ୍ତି । ଘର କାମ କରିବା ସହ ସ୍ୱାମୀଙ୍କ କୌଳିକ ବୃତିକୁ ଆପଣାଇ ନିଜେ ବଂଚିବା ସହ ସ୍ୱାମୀଙ୍କୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ମହିଳା । ସେମିତି ଜଣେ ମହିଳା ହେଉଛନ୍ତି ମୟୂରଭଂଜର ସଂପୂର୍ଣ୍ଣା ସୋରେନ ।

Advertisment

ମୁଁ ବଂଚିବାକୁ ଚାହେଁ । ମୋତେ ବଂଚେଇ ଦିଅ । ମୋତେ ସାହାଯ୍ୟ କଲେ, ମୁଁ ବଂଚିଯିବି । ଏ ହେଉଛି ଜଣେ ପକ୍ଷାଘାତ ପୀଡ଼ିତ ଯୁବକଙ୍କ ହୃଦୟର କଥା । ନିଜର ଦୁଃଖକୁ କାଗଜ କଲମରେ ଲେଖି ବୟାନ କରିଛନ୍ତି ଯୁବକ । ଆଉ ଏ ହେଉଛି ଜୀବନ ଜିଇବା ପାଇଁ ଜଣେ ସ୍ତ୍ରୀର ସଂଘର୍ଷ । ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ସ୍ୱାମୀଙ୍କ ବୃତ୍ତିକୁ ଆପଣାଇଛନ୍ତି ସ୍ତ୍ରୀ । ଅକାତକାତ ପାଣିରେ ଡଙ୍ଗା ନେଇ ଜାଲରେ ମାଛ ଧରୁଛନ୍ତି । ଏ ହେଉଛି କାପ୍ତିପଦା ବ୍ଲକ ଅସନାବଣୀ ଗାଁର ଦାବତା ସୋରେନଙ୍କ ପରିବାରର ଦୁଃଖ । ୩ ବର୍ଷ ତଳେ ହଠାତ୍ ସ୍ୱାମୀ ପକ୍ଷାଘାତରେ ପୀଡ଼ିତ ହେବା ପରେ ଉଦଳା, ବାରିପଦା, କଟକ ନେଇ ଚିକିତ୍ସା କରାଇଛନ୍ତି । ପଖରେ ଥିବା ସମ୍ବଳ ଶେଷ ହେବା ପରେ ଏବେ ସାହାଯ୍ୟ ଅପେକ୍ଷାରେ ଦାବତାଙ୍କ ପରିବାର

ଦାବତାଙ୍କର ବାମ ହାତ ଗୋଡ ଅକାମୀ ହୋଇଯାଇଥିବା ବେଳେ ଡାହାଣ ହାତ ମଧ୍ୟ କିଛି ମାତ୍ରାରେ ଅକାମୀ । ସ୍ୱାମୀ ରୋଗାଗ୍ରସ୍ତ ହୋଇ ବିଛଣାରେ ପଡି ରହିବା ପରେ ସ୍ୱାମୀଙ୍କୁ ସୁସ୍ଥ କରିବା ଏବଂ ଦୁଇ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବା ପାଇଁ ସ୍ୱାମୀଙ୍କ ବୃତିକୁ ଆପଣାଇଛନ୍ତି ସ୍ତ୍ରୀ ସଂପୂର୍ଣ୍ଣା । ରାତି ପାହିଲେ ଜାଲ ଧରି ବାହାରିଯାନ୍ତି ଗଭୀର ଡ୍ୟାମକୁ । ନିଜେ ଡଙ୍ଗା ଚଲାଇ ଡ୍ୟାମର ଗଭୀର ଜଳରାଶି ଭିତରକୁ ଯାଇ ଜାଲ ପକାଇ ମାଛ ଧରି ଏହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ସେହି ପଇସାରେ ସ୍ୱାମୀଙ୍କ ଔଷଧ ଆଣିବା ସହ ପରିବାର ଚଳାନ୍ତି ।

ଗରିବିର କଠୋରାଘାତ ସହିତ ଦୁଃଖରେ ଜୀବନ ଜିଉଥିବା ଦାବତାଙ୍କ ପରିବାରକୁ କେହି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳିରେ ପୁଣିଥରେ ହସି ଉଠନ୍ତା ଦାବତାଙ୍କ ପରିବାର ।