ଟିପ ଚିହ୍ନ ନେଇ ଗାଁ ମହିଳାଙ୍କୁ କୋଟିଏ ଟଙ୍କା ଚୁନା ଲଗାଇଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ବରଗଡ ଭେଡେନ ଥାନାରେ ଅଭିଯୋଗ କଲେ ଠକାମିର ଶିକାର ମହିଳା

318

କନକ ବ୍ୟୁରୋ: ଶତାଧିକ ମହିଳାଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲି, ଋଣ ଆକାରରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଫାଇନାନ୍ସ କର୍ମଚାରୀ । ଜଣାପଡିବା ପରେ ବରଗଡ ଜିଲ୍ଲା ଭେଡେନ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ମହିଳା । ତେବେ ଏତଲା ପରେ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

  • ଟିପଚିହ୍ନ ନେଇ ମହିଳାଙ୍କ ନାଁରେ ଟଙ୍କା ହଡପ!
  • ଥାନାରେ ଏତଲା ଦେଲେ ଠକାମିର ଶିକାର ମହିଳା

ଠକାମିର ଶିକାର ହେବା ପରେ ବରଗଡ ଭେଡେନ ବ୍ଲକ ଅର୍ଜୁଣ୍ଡା ଗ୍ରାମ ପଞ୍ଚାୟତର ମହିଳାମାନେ ଥାନାରେ ପହଞ୍ଚ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ଭାରତ ଫାଇନାନ୍ସ ନାମକ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗାଁକୁ ଆସିଥିଲେ । ବିଭିନ୍ନ ଲୋଭନୀୟ କଥା କହି ସେମାନଙ୍କ ଟିପଚିହ୍ନ ନେବା ସହ ବିଭିନ୍ନ ଡକ୍ୟୁମେଣ୍ଟ ନେଇଥିଲେ । କିନ୍ତୁ ଋଣ ଦେବାକୁ କହି ମଧ୍ୟ କିଛି ଦେଇନଥିଲେ । ହେଲେ, ଏବେ ଜାଣିବାକୁ ପାଇଛନ୍ତି କମ୍ପାନୀ ସେମାନଙ୍କ ନାଁରେ ଜାଲ ଆକାଉଣ୍ଟ ଖୋଲି ଟଙ୍କା ଉଠାଇ ନେଇଛି ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ଫାଇନାନ୍ସ କର୍ମଚାରୀ ମହିଳାଙ୍କ ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଅଭିଯୋଗ ପରେ ଭେଡେନ୍ ପୋଲିସ ଆଇପିସି ଦଫା ୪୨୦, ୪୬୮, ୪୭୧, ୩୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶାଖା ପରିଚାଳକ ଠକେଇ ନେଇ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ତଦନ୍ତ ଆରମ୍ଭ କରିଥିଲେ ବି କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଛି ଭେଡେନ୍ ପୋଲିସ । ତେଣୁ ପ୍ରଶ୍ନ ଉଠୁଛି, ଏହି ଠକେଇ ପଛରେ କେବଳ କର୍ମଚାରୀ ନା ଅଧିକାରୀ ବି ସମ୍ପୃକ୍ତ ଅଛନ୍ତି?