କିଙ୍ଗଫିସର ଓ ଜେଟ୍ ଏୟାରୱେଜ ପରେ ଆର୍ଥିକ ସଙ୍କଟରେ ପୱନହଂସ । କର୍ମଚାରୀଙ୍କୁ ମିଳିବନି ଚଳିତ ମାସ ଦରମା ।

234

କନକ ବ୍ୟୁରୋ :  ଦେଶରେ ବିମାନ ସେବା ଯୋଗାଉଥିବା କିଙ୍ଗ୍‌ଫିସର୍‌ ଓ ଜେଟ୍‌ ଏୟାରେଓ୍ଵଜ୍‌ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ବନ୍ଦ ହୋଇଯିବା ପରେ ଏବେ ପାଳି ପଡ଼ିଛି ପବନହଂସର । ପବନହଂସ ମଧ୍ୟ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ପବନହଂସ ସଂସ୍ଥାର କର୍ମଚାରୀମାନେ ଅପ୍ରେଲ ମାସର ବେତନ ଅଦ୍ୟାବଧି ପାଇପାରି ନାହାନ୍ତି । ପବନହଂସ ପରିଚାଳନା କର୍ତ୍ତୃପକ୍ଷ ଗତ ୨୫ ତାରିଖରେ ଜାରି କରିଥିବା ଏକ ସର୍କୁଲାରରେ କର୍ମଚାରୀମାନଙ୍କୁ ଜଣାଇଛନ୍ତି ଯେ ଏବେ ସଂସ୍ଥାର ଆର୍ଥିକ ସ୍ଥିତି ଠିକ୍‌ ନାହିଁ । କମ୍ପାନିର ସାଂପ୍ରତିକ ଆର୍ଥିକ ଦୂରାବସ୍ଥା କାରଣରୁ ଅପ୍ରେଲ ମାସର ବେତନ ପ୍ରଦାନ ପାଇଁ କମ୍ପାନି ଅସମର୍ଥ ହୋଇଥିବା ଏହି ସର୍କୁଲାରରେ କୁହାଯାଇଛି ।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନିର ଆୟରେ ଆଶାତୀତ ଭାବେ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନି ୮୯ କୋଟିର କ୍ଷତି ସହିବା ପରେ ଏବେ କମ୍ପାନିରେ ଆର୍ଥିକ ସଙ୍କଟ ଦେଖା ଦେଇଛି । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବା ଓ କମ୍ପାନିର ବିମାନକୁ ଭଡ଼ାରେ ନେଉଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ଉପରେ କମ୍ପାନିର ୨୩୦ କୋଟି ବକେୟା ପଡ଼ିଥିବା କାରଣରୁ ଏହି ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି ।