କାଲି ସାଧାରଣ ବଜେଟ୍, ଆଜି ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ବଜେଟରେ ଅନେକ ଆଶା ରଖିଛନ୍ତି ମଧ୍ୟବିତ ।

163

କନକ ବ୍ୟୁରୋ : କାଲି ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ବଜେଟ୍ ଆଗତ କରିବେ । କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବାରୁ, ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରୁଥିବାରୁ ଏଥର ମଧ୍ୟବିତ ପରିବାରର ଲୋକ ଅନେକ କିଛି ଆଶା ରଖିଛନ୍ତି । ଏଥିସହ ଆମ ରାଜ୍ୟର ସାଂସଦ କେନ୍ଦ୍ରରେ ରେଳମନ୍ତ୍ରୀ ଥିବାରୁ ଚଳିତ ବର୍ଷ ରେଳବାଇରେ ଓଡିଶାକୁ ବିଶେଷ ଫାଇଦା ମିଳିବ ନେଇ ଆଶା ରହିଛି ।

ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୯.୨ ପ୍ରତିଶତ । ଆସନ୍ତା ଆର୍ଥିକ ବର୍ଷ ପାଇଁ ୮-୮.୫ ପ୍ରତିଶତ ଅଭିବୃଦ୍ଧି ଆକଳନ । ମଙ୍ଗଳବାର ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୟୁନିୟନ ବଜେଟ୍ । ଏହାର ପୂର୍ବ ଦିନ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ ।

ଇକୋନମିକ୍ ସର୍ଭେ ରିପୋର୍ଟ ବା ଅର୍ଥନୈତିକ ସର୍ଭେ ରିପୋର୍ଟ ହେଉଛି ଦେଶର ଆର୍ଥିକ ସ୍ଥିତିର ସମ୍ପୂର୍ଣ୍ଣ ବିବରଣୀ । ଚଳିତ ଆର୍ଥିକ ବର୍ଷରେ କ’ଣ ସ୍ଥିତି ରହିଛି, ଆସନ୍ତା ଆର୍ଥିକ ବର୍ଷରେ କିଭଳି ରହିବ ଦେଶର ଆର୍ଥିକ ସ୍ଥିତି, ଏ ନେଇ ଆକଳନ କରାଯାଇଥାଏ ।

ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ମହାମାରୀ ଯୋଗୁଁ ମାନ୍ଦା ପଡ଼ିଥିବା ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରୁଛି । ଅଭିବୃଦ୍ଧି ମଧ୍ୟ ଆଶାନୁରୂପ ହେଉଛି । ଚଳିତ ଆର୍ଥିକ ବର୍ଷରେ ୯.୨ ପ୍ରତିଶତ ହାରରେ ଆଗକୁ ବଢୁଛି ଦେଶ । ମହାମାରୀ ପୂର୍ବ ସ୍ଥିତିକୁ ଫେରିଆସୁଛି ଦେଶର ଅର୍ଥନୀତି । ନଜର ପକାନ୍ତୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ ।

୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ
୨୦୨୨-୨୩ ପାଇଁ ୮-୮.୫ ପ୍ରତିଶତ ଅଭିବୃଦ୍ଧି ଆକଳନ
କୃଷି କ୍ଷେତ୍ରରେ ୩.୯ ପ୍ରତିଶତ ଅଭିବୃଦ୍ଧି ଅନୁମାନ
ଶିଳ୍ପ ଅଭିବୃଦ୍ଧି ୧୧.୮ ପ୍ରତିଶତ ଓ ସେବା କ୍ଷେତ୍ରରେ ୮.୨ ପ୍ରତିଶତ ଆକଳନ

ମହାମାରୀ ଯୋଗୁଁ ରୋଜଗାର କମିଛି, ଚାକିରି ହରାଇଛନ୍ତି ଲକ୍ଷ ଲକ୍ଷ ଲୋକ । କିପରି ଲୋକଙ୍କ ରୋଜଗାର ବଢ଼ିବ, କିପରି ନୂଆ ନିଯୁକ୍ତି ସୃଷ୍ଟି ହେବ, ସାଧାରଣ ଲୋକଙ୍କ ଉପରୁ ଆର୍ଥିକ ବୋଝ କମିବ, ଏହି ବଜେଟରେ ଆଶା କରୁଛନ୍ତି ଦେଶବାସୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଅନେକ ଆଶା ରଖିଛନ୍ତି ମଧ୍ୟବିତ । ସବୁଠୁ ବଡ଼ ଆଶା ହେଉଛି, ଆୟକର ସ୍ଲାବରେ ପରିବର୍ତ୍ତନ । ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର ଉପରେ ଆୟକର ଛାଡ଼ ପାଇଁ ଦାବି ହୋଇଆସୁଛି । ୨୦୧୪ରୁ ଆୟକର ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇନଥିବାରୁ ଏଥର ଅର୍ଥମନ୍ତ୍ରୀ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଅଧିକ ଅର୍ଥ ଲୋକଙ୍କ ପାଖରେ ରହିଲେ ମହାମାରୀ ସମୟରେ ଚଳଚଞ୍ଚଳ ହୋଇ ରହିବ ଦେଶର ଅର୍ଥନୀତି ।

ଏପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ବେଶ କିଛି ଆଶା ରଖିଛନ୍ତି ଓଡ଼ିଶାବାସୀ । ଓଡ଼ିଶାର ସାଂସଦ ରେଳମନ୍ତ୍ରୀ ହୋଇଥିବାରୁ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ଆଶାବାଦୀ ଅଛନ୍ତି ରାଜ୍ୟବାସୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥଠାରୁ ଅଧା ପନ୍ତରିଆ ଭାବେ ପଡ଼ିଥିବା ପ୍ରକଳ୍ପକୁ ଆଗକୁ ନେବା ଓ ନୂଆ ରେଳପଥ ଘୋଷଣା କରିପାରନ୍ତି ରେଳମନ୍ତ୍ରୀ ।