କନକ ବ୍ୟୁରୋ: ଦେଶରେ ବେରୋଜଗାରୀ କମୁଛି । କର୍ମକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢୁଛି। ହେଲେ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ଚିନ୍ତା ଜାହିର କରିଛନ୍ତି ସରକାର । ସଂସଦରେ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ୨୦୨୩-୨୪ଆର୍ଥିକ ବର୍ଷର ଇକୋନମିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି । ଯେଉଁଥିରେ ଏପରି କିଛି କୁହାଯାଇଛି। ଏବେ କେନ୍ଦ୍ରରେ ମୋଦୀଙ୍କ ତୃତୀୟ ପାଳି ସରକାର ଚାଲିଛି । ଆସନ୍ତାକାଲି ବଜେଟ ଆଗତ ହେବ।
ବେରୋଜଗାର କ୍ଷେତ୍ରରେ ବଡ଼ ଆଶ୍ୱସ୍ତି। ଯେଉଁ ପ୍ରସଙ୍ଗକୁ ଆଧାର କରି ବିରୋଧୀ ମୋଦୀ ସରକାରକୁ ଟାର୍ଗେଟ୍ କରନ୍ତି ସେହି ପ୍ରସଙ୍ଗରେ ସରକାରକୁ ଆଶ୍ୱସ୍ତି ମିଳିଛି। ଲଗାତର ସପ୍ତମ ଥର ପାଇଁ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଇକୋନମିକ୍ ସର୍ଭେ ରିପୋର୍ଟ ଜାରି କରିଛନ୍ତି। ଯେଉଁଥିରେ ଭାରତରେ ବାର୍ଷିକ ବେକାରୀ ହାର ହ୍ରାସ ପାଉଛି ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି। ବାର୍ଷିକ ପିରିଓଡିକ୍ ଲେବର ଫୋର୍ସ ସର୍ଭେ ବା ପିଏଲଏଫଏସ ଅନୁଯାୟୀ, କରୋନା ମହାମାରୀ ପରଠାରୁ ୧୫ ବର୍ଷ ରୁ ଅଧିକ ବୟସର ବ୍ୟକ୍ତିଙ୍କ ବେକାରୀ ହାର କମୁଛି । ଏବେ ବୈଷୟିକ ଚ୍ୟାଲେଞ୍ଜ ସତ୍ତ୍ୱେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସ୍ତର ବୃଦ୍ଧି ପାଇଛି। ଲିଙ୍ଗଗତ ଦୃଷ୍ଟିକୋଣରୁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୬ ବର୍ଷ ଧରି ବୃଦ୍ଧି ପାଉଛି ଅର୍ଥାତ୍ ୨୦୧୭-୧୮ରେ ଏହା ୨୩.୩ % ଥିବା ବେଳେ ୨୦୨୨-୨୩ରେ ଏହା ୩୭%କୁ ବୃଦ୍ଧି ପାଇଛି। ସେହିପରି ଉପରମୁହାଁ ଦେଶର ଅଭିବୃଦ୍ଧି ହାର । ସରକାରଙ୍କ ଇକୋନମିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ବା ଜିଡିପି ୬.୫ରୁ ୭% ରହିବ ବୋଲି ଆକଳନ କରାଯାଇଛି।
ଖାଦ୍ୟ ଦର ବୃଦ୍ଧି ବଢ଼ାଇଲା ଚିନ୍ତା
କୃଷି ଭିତ୍ତିକ ଦେଶରେ ଖାଦ୍ୟ ମହଙ୍ଗା
ବିଗତ ଦୁଇ ବର୍ଷ ହେବ ଖାଦ୍ୟ ଦର ବୃଦ୍ଧି ସାରା ବିଶ୍ୱ ପାଇଁ ଚିନ୍ତା ପାଲଟିଛି । ଭାରତ ଏକ କୃଷି ଭିତିକ ଦେଶ। ଏପରି ସ୍ଥିତିରେ ଦେଶବାସୀଙ୍କ ଉପରେ ଖାଦ୍ୟ ପାଇଁ ପକେଟ ଉପରେ ବୋଝ ପଡୁଛି। ବିଳମ୍ବରେ ମୌସୁମୀ ଆସିବା, ଚାଷ ପାଇଁ ଆବଶ୍ୟକ ପାଣି ଠିକ୍ ସମୟରେ ନମିଳିବା ଚାଷ କାମକୁ ପ୍ରଭାବିତ କରୁଛି । ତେଣୁ ଖାଦ୍ୟ ଉତ୍ପାଦନ କମିଛି। କିନ୍ତୁ ଖାଦ୍ୟର ଚାହିଦା ଅଧିକ ରହିଥିବାରୁ ଦର ବଢିବାରେ ଲାଗିଛି ବୋଲି କୁହାଯାଇଛି। ଫଳରେ ୨୦୨୨-୨୩ ଆର୍ଥିକ ବର୍ଷରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୬% ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭.୫ %କୁ ବୃଦ୍ଧି ପାଇଛି। ଏହାବାଦ ସର୍ଭେରେ କୁହାଯାଇଛି ଯେ ଯୋଗାଣ ଚେନ୍ ବାଧା ପ୍ରାପ୍ତ ହୋଇଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନେକ ଦେଶରେ ଦର ବୃଦ୍ଧି ପାଇଛି। ସେହିପରି ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫% ରହିବ ବୋଲି ଆକଳନ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧% ରହିବ ବୋଲି ଆକଳନ କରାଯାଇଛି।
ଅର୍ଥନୈତିକ ସର୍ବେକ୍ଷଣରେ ସରକାର ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ଉଲ୍ଲେଖ କରିଛନ୍ତି। ସରକାର କହୁଛନ୍ତି ଯେ ବୈଶ୍ୱିକ ଆହ୍ୱାନ ଯୋଗୁଁ ରପ୍ତାନି କ୍ଷେତ୍ରରେ ଦେଶକୁ ଝଟକା ଲାଗିପାରେ, କିନ୍ତୁ ସରକାର ମଧ୍ୟ ଏଥିପ୍ରତି ସମ୍ପୂର୍ଣ୍ଣ ସତର୍କ ଅଛନ୍ତି।