କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ

239

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ପ୍ରଧାମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ବୀମା କମ୍ପାନୀ ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଆସୁଥିବା କ୍ଲେମଗୁଡିକୁ ତୁରନ୍ତ ସମାଧାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

ଏନେଇ ସୀତାରମଣ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଏପର୍ଯ୍ୟନ୍ତ ୪୧୯ ଟି କ୍ଲେମ ସେଟେଲମେଣ୍ଟ କରାଯାଇଛି । ଏହା ମାଧ୍ୟମରେ ଉତ୍ତରାଧିକାରୀଙ୍କ ଖାତାକୁ ମୋଟ ୨୦୯.୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଅନ୍ୟପଟେ ରାଜ୍ୟମାନେ କ୍ଲେମର କାଗଜପତ୍ର ପଠାଇବାରେ ଡେରି ହେଉଥିବାରୁ ଏନେଇ ଏକ ସ୍ୱତନ୍ତ୍ର ପ୍ରଣାଳୀ ଅପଣାଇଛନ୍ତି । ଏନେଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ଏକ ସାମାନ୍ୟ ପ୍ରମାଣପତ୍ର କିମ୍ବା ନୋଡାଲ ନୋଡାଲ ରାଜ୍ୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ମାଧ୍ୟମରେ ବି କ୍ଲେମ ସେଟେଲମେଣ୍ଟ କରାଯାଇ ପାରିବ ।

ଏନେଇ ସେ ନ୍ୟୁ ଇଣ୍ଡିଆ ବୀମା କମ୍ପାନୀକୁ ପ୍ରଶଂସା କରି ଲଦାଖର ଏକ ଉଦାହରଣ ଦେଇଥିଲେ । ସେ କହିଥିଲେ କି ସେଠାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରମାଣପତ୍ରକୁ ଆଧାର କରି ବୀମା କମ୍ପାନୀ ୪ ଘଂଟା ମଧ୍ୟରେ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥିଲେ ।

ଅର୍ଥମନ୍ତ୍ରୀ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ପକ୍ଷରୁ ଦିଆଯାଉଥିବା ବୀମା କ୍ଲେମର ତୁରନ୍ତ ସମାଧାନ ଦିଗରେ ରାଜ୍ୟ ସରକାରମାନେ ଯତ୍ନବାନ ହୁଅନ୍ତୁ । ଅନ୍ୟପଟେ ସେ ବି ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଉପରେ ସମୀକ୍ଷା କରି କହିଛନ୍ତି କି ଏହି ଯୋଜନା ମାଧ୍ୟମରେ ୩୧.୦୫.୨୦୨୧ ସୁଦ୍ଧା ୮୨,୬୬୦ ଜଣ ଦାବିଦାରଙ୍କୁ ୧,୬୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।