କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା : ଭର୍ଚୁଆଲ ମୋଡରେ ସ୍ୱତନ୍ତ୍ର ୱେବସାଇଟର ଉଦଘାଟନ କଲେ ଅର୍ଥମନ୍ତ୍ରୀ 

1,739

କନକ ବ୍ୟୁରୋ : କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା । ଏଥିପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ଭର୍ଚ୍ଚୁଆଲ ମୋଡରେ ଏକ ସ୍ୱତନ୍ତ୍ର ୱେବସାଇଟର ଉନ୍ମୋଚନ କରିଛନ୍ତି । www.opid.odisha.gov.inନାଁରେ ଏହି ୱେବସାଇଟର ଆରମ୍ଭ କରାଯାଇଛି । ବିଭିନ୍ନ ଆର୍ଥିକ ସଂସ୍ଥାଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଜମାରାଶିର ପରିମାଣ ଜାଣିବା ପାଇଁ ଏହି ସେବା ଆରମ୍ଭ ହୋଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍‌ ଇଷ୍ଟେଟ୍‌ସ୍‌ ଓ ପ୍ରମୋଟର୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ୍‌ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିର କ୍ଷତିଗ୍ରସ୍ତ ଜମାକାରୀ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଆବେଦନ କରିପାରିବେ। ଏହି ଦୁଇଟି ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀ ଚଳିତ ମାସ ୪ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେସର୍ସ ରୋଜ୍‌ଭ୍ୟାଲି ଗ୍ରୁପ ଅଫ୍‌ କମ୍ପାନି ସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ସେସବୁ ଆବେଦନ ପତ୍ର ଗ୍ରହଣ, ଡିଜିଟାଇଜେସନ୍‌, ଡିଜିଟାଇଜ୍‌ଡ୍‌ ତଥ୍ୟ ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍‌ ଆଦି କାର୍ଯ୍ୟ ସମୟ ସାପେକ୍ଷ ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ଏକ ସହଜ ଓ ସରଳ ଓ୍ବେବ୍‌ସାଇଟ୍‌ ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର୍‌ (ଓକାକ୍‌) ବିକଶିତ କରିଛନ୍ତି।

ଏବେ କ୍ଷତିଗ୍ରସ୍ତ ଜମାକାରୀମାନେ ଆଉ ତହସିଲ ଅଫିସ ଯାଇ ଦରଖାସ୍ତ ଦେବାକୁ ପଡ଼ିବ ନାହିଁ। ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ଦରଖାସ୍ତ ପ୍ରଦାନ କରିପାରିବେ। ମୋ ସେବା କେନ୍ଦ୍ରର ଠିକଣା ରାଜ୍ୟ ସରକାରଙ୍କ ଓ୍ବେବ୍‌ସାଇଟ୍‌ www.odisha.gov.inରେ ଉପଲବ୍ଧ ଅଛି। ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଦରଖାସ୍ତଗୁଡ଼ିକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାଯାଇପାରିବ। ଏତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମ୍‌ମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ କରିପାରିବେ। ଅନ୍‌ଲାଇନ୍‌ ଆବେଦନ ବେଳେ ଯଦି କେହି ବ୍ୟକ୍ତି ବୈଷୟିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ତାର ସମାଧାନ ପାଇଁ ଟୋଲ୍‌ ଫ୍ରି ନମ୍ବରର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ୫-ଟି ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ, ଏହି ୱେବ୍‌ସାଇଟ୍‌ ପ୍ରଚଳନ ଦ୍ବାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୂପଣ ଅତ୍ୟନ୍ତ ସ୍ବଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ।

ପ୍ରଥମ ଦଫାରେ ରାଜ୍ୟ ସରକାର ହାଇଟେକ୍‌ ଇଷ୍ଟେଟ୍‌ ପ୍ରମୋଟର୍ସ୍‌ ଓ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୍‌-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବାସପୋଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି ପାଇ ନଥିବା କିମ୍ବା ଜମାରାଶି ଫେରସ୍ତ ପାଇ ନଥିବା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ବ୍ୟବସ୍ଥା କରାଯାଇଛି। ଏ ନେଇ ଗତମାସ ୨୭ ତାରିଖରେ ସବିଶେଷ ତଥ୍ୟ ସମ୍ବଳିତ ବିଜ୍ଞାପନ ଅତିରିକ୍ତ ଜିଲ୍ଲାପାଳ କଟକଙ୍କ ଦ୍ବାରା ସମ୍ବାଦ ସମେତ ଅନେକ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିବା ସରକାର ଜଣାଇଛନ୍ତି।