କନକ ବ୍ୟୁରୋ : ରାଜ୍ୟର ଋଣଭାର କେତେ? ପ୍ରତି ମୁଣ୍ଡପିଛା ଋଣ କେତେ ରହିଛି । ପୂର୍ବରୁ କେତେ ଟଙ୍କା ଋଣ ଥିଲା, ଏବେ କେତେ ଟଙ୍କାରେ ପହଞ୍ଚିଛି । ଋଣ ଟଙ୍କା କେଉଁ କାର୍ଯ୍ୟରେ ଲାଗୁଛି । ଏହାର ସବିଶେଷ ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାୟକ ସୁର ରାଉତରାୟ ଓ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏବେ ରାଜ୍ୟରେ ମୁଣ୍ଡପିଛା ଋଣଭାର ୨୨ ହଜାର ୮୨୭ ଟଙ୍କା ରହିଛି ।
ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୧,୦୬,୦୦୦ କୋଟି ଟଙ୍କା ଋଣ କରିଛନ୍ତି । କିନ୍ତୁ ଏହି ଋଣ ଅର୍ଥର ସବୁ ଟଙ୍କା କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି ଟଙ୍କାରେ କୌଣସି କର୍ମଚାରୀଙ୍କୁ ଦରମା ଦିଆଯାଉନାହିଁ । ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ।ୠଣ ଟଙ୍କା ରାଜ୍ୟର ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏଫଆରବିଏମ ଆକ୍ଟ ଅନୁଯାୟୀ, ଧାର୍ଯ୍ୟ ୨୫ ପ୍ରତିଶତ ଋଣ ସୀମା ଠାରୁ ବହୁତ ତଳେ ଅଛି ଓଡ଼ିଶା । ତେଣୁ ଆଗାମୀ ମାର୍ଚ୍ଚ ୩୧ ସୁଦ୍ଧା କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା କମ ଋଣ ନେବା ରାଜ୍ୟ ଭିତରେ ଏକ ନମ୍ବର ହେବ ।
ଏହାସହ ଗୃହରେ ଅର୍ଥମନ୍ତ୍ରୀ ରଖିଥିବା ଉତ୍ତର ଦର୍ଶାଉଛି ଯେ, ଗତବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟର ଋଣ ଭାର କମିଥିବା ବେଳେ ମୁଣ୍ଡପିଛା ଋଣଭାର ମଧ୍ୟ ପୂର୍ବପେକ୍ଷା କମିଛି । ତେଣୁ ରାଜ୍ୟ ସରକାର ଯେଉଁ ଆକଳନ କରିଛନ୍ତି ତାହା ସଠିକ୍ ପ୍ରମାଣିତ ହୋଇପାରେ ।