ଶିଖର ଛୁଇଁଲା ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ: ଶେଷରେ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର ସିଂ

124

କନକ ବ୍ୟୁରୋ: ଶିଖର ଛୁଇଁଲା ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ । ଶେଷରେ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର ସିଂ । ରାଜ୍ୟପାଳଙ୍କୁ ଭେଟି ପୁରା ମନ୍ତ୍ରୀପରିଷଦର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ନବଜ୍ୟୋତ ସିଦ୍ଧୁଙ୍କ ସହ ଚାଲିଥିବା ଲମ୍ବା ଟଣାଉଟଣା ପରେ ଶେଷରେ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ରାଜନୀତିର ଏହି ହେଭିୱେଟ ପଂଜାବରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ହେଲେ ଏବେ ଦଳ ପାଇଁ ଯେପରି ସେ ଅଲୋଡା ପାଲଟି ଯାଇଛନ୍ତି ।

ପଂଜାବ ରାଜନୀତିରେ ଗତ କିଛି ମାସ ଧରି ଲାଗି ରହିଥିବା ରାଜନୈତିକ କନ୍ଦଳ ଚରମ ସୀମାରେ ପହଁଚିଛି । ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ପତ୍ର ଦାଖଲ କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପରବର୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ୩ଟି ନାଁ ଚର୍ଚ୍ଚା ହେଉଛି । କଂଗ୍ରେସର ପୂର୍ବତନ ପଂଜାବ ମୁଖ୍ୟ ସୁନୀଲ ଜାଖର, ପ୍ରତାପ ସିଂ ବାଜୱା ଓ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରୁ ଜଣେ ପଂଜାବର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଆକଳନ କରାଯାଉଛି ।

କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜ୍ୟୋତ ସିନ୍ଧୁଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଚାଲିଛି । ପଂଜାବରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ହେଲେ ସିଦ୍ଧୁ ପଂଜାବ କଂଗ୍ରେସରେ ସକ୍ରିୟ ଭୂମିକା ଗ୍ରହଣ କରିବା ପରେ ତାଙ୍କ ପତିଆରା କମିବାରେ ଲାଗିଲା । ଲଗାତର ଭାବେ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା । ଅମରିନ୍ଦରଙ୍କୁ ହଟାଇବାକୁ ସିଦ୍ଧୁ କ୍ୟାମ୍ପ ବାରମ୍ବାର ଦିଲ୍ଲୀ ଆସି ରାହୁଲ ଓ ସୋନିଆଙ୍କୁ ଭେଟୁଥିଲେ । । ଶେଷରେ ବାଜିମାରି ନେଲେ ସିଦ୍ଧୁ, ଆଉ ପଦ ଛାଡ଼ିଦେଲେ କ୍ୟାପଟେନ୍ ଅମରିନ୍ଦର ।

କ୍ୟାପନେଟନ ଅମରିନ୍ଦର ସିଂଙ୍କ ବିରୋଧରେ ୪୦ ବିଧାୟକ ଏକାଠି ହୋଇ ସ୍ୱର ଉଠାଇଥିଲେ । କ୍ୟାପଟେନ୍ ଅମରିନ୍ଦର ସିଂ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏଭଳି ସ୍ଥିତିକୁ ବରଦାସ୍ତ କରିବା ସମ୍ଭବ ନୁହେଁ ବୋଲି ସେ ଚିଠିରେ ଉଲେଖ କରିଥିଲେ । ଏବେ ସେ ଇସ୍ତଫା ଦେବା ପରେ ପଂଜାବ ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।