ଆସନ୍ତାକାଲିଠୁ ସାରା ଓଡିଶାରେ ଗଡ଼ିବ ବସ୍ : ଦୁଇ ମାସର ରୋଡ୍ ଟିକସ ଛାଡ଼ କରିବେ ସରକାର; ବସ୍ କର୍ମଚାରୀଙ୍କ ପାଇଁ ଗଠନ ହେବ କଲ୍ୟାଣ ପାଣ୍ଠି

181

କନକ ବ୍ୟୁରୋ : ଆସନ୍ତାକାଲିଠୁ ସାରା ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ହେବ । ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବସ୍‌ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି । ଏହାପରେ ବସ୍‌ ମାଲିକ ସଂଘ ବସ୍‌ ଚଳାଇବାକୁ ରାଜି ହୋଇଛି । ତେଣୁ ଏବେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ । ପ୍ରତି ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ । ବିନା ମାସ୍କରେ କାହାକୁ ନିଆଯିବନି। ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ।

ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ରୋଡ୍‌ ଟିକସ ଛାଡ଼ କରିବାକୁ ରାଜି ହୋଇଛନ୍ତି । ଚାରି ମାସ ହେଲା ବସ୍‌ ଚଳାଚଳ ହୋଇନଥିବାରୁ ଆମେ ସରକାରଙ୍କୁ ବସ୍‌ ପିଛା ୧ଲକ୍ଷ ଟଙ୍କାର ସହାୟତା ମାଗିଥିଲୁ । ଏନେଇ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ବସ୍‌ ମାଲିକଙ୍କ ସହ ଅନୁବନ୍ଧିତ କରିବେ ବୋଲି କହିଛନ୍ତି । ବ୍ୟାଙ୍କରୁ ବସ୍‌ ପିଛା ୧ଲକ୍ଷ ଟଙ୍କା ଋଣ ଆଣି ବସ୍‌ ଚଳାଇବୁ । ଏଥିପାଇଁ ଆମେ ପ୍ରତି ମାସରେ ୧୫ତାରିଖ ସୁଦ୍ଧା ଟିକସ ଦେବୁ ଏବଂ ବ୍ୟାଙ୍କରୁ ଆଣିଥିବା ଟଙ୍କାର କିସ୍ତି ୩୦ତାରିଖ ଭିତରେ ଦେଉଛୁ ବୋଲି ଆର୍‌ଟିଓଙ୍କୁ ଜଣାଇବୁ ।

ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି । ଆମ ରାଜ୍ୟରେ ବାହାର ରାଜ୍ୟରୁ ଆସୁଥିବା ବସ୍‌ ଉପରେ ଟିକସ ଛାଡ଼ ହୋଇଥିବାବେଳେ ସେମାନଙ୍କ ରାଜ୍ୟରେ ବି ଆମ ବସ୍‌ ଉପରୁ ଟିକସ ଛାଡ଼ କରିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି । ୪ମାସ ହେଲା ବସ୍‌ ଚାଲିନଥିବାରୁ ବୀମା ଅବଧି ଆଉ ୪ମାସ ବଢ଼ାଇବାକୁ କୁହାଯାଇଛି । ଏନେଇ ରାଜ୍ୟ ସରକାର ଆଇଆର୍‌ଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।