କନକ ବ୍ୟୁରୋ: ବିଧାନସଭା ଓ ଲୋକସଭା ଆସନରେ କାହାର ଟିକେଟ କଟିବ, କାହାକୁ ଟିକେଟ ମିଳିବ? ଏହାକୁ ନେଇ ନେତାଙ୍କ ଛାତି ଧଡପଡ ଭିତରେ ଚୂଡାନ୍ତ ହୋଇଛି କଂଗ୍ରେସ ପ୍ରାର୍ଥୀ ତାଲିକା । ଦିଲ୍ଲୀରେ ବସିଥିବା ସ୍କ୍ରିନିଂ କମିଟି ବୈଠକରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇଛି । ଏହି ତାଲିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଉଛି ।

ଦିଲ୍ଲୀରେ ବସିଥିବା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକରେ, ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା । ପ୍ରତି ବିଧାନସଭା କ୍ଷେତ୍ର ଓ ସଂସଦୀୟ କ୍ଷେତ୍ର ପାଇଁ ୩ଜଣ ଆଶାୟୀଙ୍କ ନାଁ ଚୂଡ଼ାନ୍ତ ହୋଇଛି । ସ୍କ୍ରିନିଂ କମିଟି ବୈଠକରେ ଆଶାୟୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ବିଚାର ବିମର୍ଷ କରାଯିବା ପରେ ଚୂଡାନ୍ତ ତାଲିକା ସିଇସିକୁ ପଠାଯାଇଛି । ସୂଚନା ଅନୁସାରେ, ୬୬ଟି ବିଧାନସଭା ଆସନ ଓ ୧୨ଟି ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନାମ ଘୋଷଣା କରାଯାଇପାରେ । ଦ୍ୱନ୍ଦ୍ୱ ରହିଥିବା ଆଉ କିଛି ଆସନକୁ ନେଇ ୧୫ତାରିଖ ପରେ ବସିବାକୁ ଥିବା ତୃତୀୟ ପର୍ଯ୍ୟାୟ, ବୈଠକରେ ଆଲୋଚନା ହେବ ।

ତେବେ କଂଗ୍ରେସ ତାଲିକା ପ୍ରସ୍ତୁତ କରିବା ସମୟରେ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଉପରେ ନଜର ରଖିଛି । ଦୁଇ ଦଳ ମଧ୍ୟରେ ମେଂଟ ହେଲେ, ବହୁ ଅସନ୍ତୁଷ୍ଟ ନେତା, ଆଗାମି ଦିନରେ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏପରିକି କିଛି ପୁରୁଣା ନେତା, ଯେଉଁମାନେ ପୂର୍ବରୁ ଦଳ ଛାଡି ଯାଇଥିଲେ ସେମାନେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତିଙ୍କ ସହ ସମ୍ପର୍କରେ ଥିବା ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ଆଉ ସେଥିପାଇଁ କିଛି ଆସନକୁ ସଂରକ୍ଷିତ କରି ରଖାଯିବ ବୋଲି ମଧ୍ୟ କହିଛନ୍ତି ।

ବିଶେଷକରି ବିଜେଡି-ବିଜେପି ମେଂଟ ହେଲେ, ଉଭୟ ଦଳର ତୃଣମୂଳ ସ୍ତରର ନେତା ଓ କର୍ମୀ, କୁଆଡେ ଯିବେ, ସେମାନଙ୍କ ଉପରେ ନଜର ରଖିଛି କଂଗ୍ରେସ । ମେଂଟର ଚିତ୍ର ସ୍ପଷ୍ଟ ହେଲେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।