ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିମନି: ନର୍ଥବ୍ଲକରେ ପରସ୍ପରକୁ ମିଠା ଖୁଆଇଲେ ଅର୍ଥମନ୍ତ୍ରାଳୟର ଅଧିକାରୀ ଓ ମନ୍ତ୍ରୀ

ଫେବୃୟାରୀ ୧ରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

74

କନକ ବ୍ୟୁରୋ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିିମନି । ନର୍ଥବ୍ଲକରେ ଆୟୋଜିତ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତୀୟଙ୍କ ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ କରାଯାଇଥାଏ । ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ରହିଆସିଛି । ଏହି ପାରମ୍ପରିକ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଗାମୀ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ କରାଯାଇଛି । ବଜେଟ୍ ବହି ଛାପି ସାଂସଦମାନଙ୍କୁ ବାଣ୍ଟିବା ପରିବର୍ତ୍ତେ ସଫ୍ଟ କପିରେ ଉପଲବ୍ଧ କରାଯିବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ବଜେଟ୍ ଆପକୁ ଉନ୍ମୋଚନ କରିଛନ୍ତି । ଯାହାର ନାଁ ରଖାଯାଇଛି ‘ୟୁନିୟନ ବଜେଟ୍ ମୋବାଇଲ ଆପ୍’ । ଏଥିସହିତ କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ www.indiabudget.gov.in ରୁ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ୍ କରାଯାଇ ପାରିବ। ଏହି ଆପ ମାଧ୍ୟମରେ ସାଂସଦଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ କେନ୍ଦ୍ରୀୟ ବଜେଟ୍ ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ । କେନ୍ଦ୍ର ବଜେଟର ୧୪ ପ୍ରକାର ଦସ୍ତାବିଜ ଏଥିରେ ଉପଲବ୍ଧ ହେବ ।