କନକ ବ୍ୟୁରୋ : ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର । ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟର ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟର୍‌ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ରେ ପରୀକ୍ଷା ହେବା ସହ ଅଗଷ୍ଟ/ସେପ୍ଟେମ୍ବରରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆଜି ଆୟୋଜିତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Advertisment

ଏହି ସେମିଷ୍ଟର୍‌ର ଯେଉଁ ଛାତ୍ରଛାତ୍ରୀଙ୍କର ଯଦି ପୂର୍ବ ସେମିଷ୍ଟର୍‌/ବର୍ଷ ପରୀକ୍ଷା ବାକି ରହିଛି କିମ୍ବା ତାଙ୍କର ଯଦି ବ୍ୟାକ୍‌ ପେପର ଥିବ, ତେବେ ସେହି ପରୀକ୍ଷା ସବୁ ମଧ୍ୟ ଅନ୍‌ଲାଇନ୍‌ରେ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ହେବ। ପରୀକ୍ଷା ତାରିଖ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ/ସ୍ବୟଂଶାସିତ ମହାବିଦ୍ୟାଳୟ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀ ନିଜ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ। ଦରକାର ପଡ଼ିଲେ, ସେମାନଙ୍କ ଘର ପାଖରେ ଥିବା ଡିଗ୍ରି ମହାବିଦ୍ୟାଳୟକୁ ଯାଇ ଏହି ଅନ୍‌ଲାଇନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ।

ଅନ୍‌ଲାଇନ୍‌ ପରୀକ୍ଷା କେମିତି ହେବ, ସେ ସଂପର୍କରେ ସଂପୃକ୍ତ ବିଶ୍ବବିଦ୍ୟାଳୟ/ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜଣାଇବେ । ଜୁଲାଇ ମଧ୍ୟ ଭାଗରୁ ଶେଷ ଭାଗ ପର୍ଯ୍ୟନ୍ତ ଦ୍ବନ୍ଦ୍ବ ଦୂର ବା ଡାଉଟ୍ କ୍ଲିୟର କ୍ଲାସ ଅନୁଷ୍ଠିତ ହେବ । ଅନ୍ୟ ସେମିଷ୍ଟର୍‌ କିମ୍ବା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ବୋଲି ସ୍ଥିର ହୋଇଛି । ବୈଠକରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଯୋଗ ଦେଇଥିଲେ ।

ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସ୍ଥିର ହୋଇଥିଲେ ମଧ୍ୟ ଅନ୍ୟ ସେମିଷ୍ଟର୍‌ ପିଲାଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୨୦-୨୧ ଶିକ୍ଷାବର୍ଷ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେତେକ ସେମିଷ୍ଟର୍‌ ପରୀକ୍ଷା ହୋଇନି। ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଗୋଟିଏ ବି ସେମିଷ୍ଟର୍‌ ପରୀକ୍ଷା ଦେଇନାହାନ୍ତି । ଦ୍ବିତୀୟ ସେମିଷ୍ଟାର ପାଠପଢ଼ା କେବେ ହେବ? ପରୀକ୍ଷା କେବେ କରାଯିବ? ସେନେଇ ଚିନ୍ତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ।