ବିଦ୍ରୋହୀଙ୍କୁ ମନାଇବାକୁ ଶେଷ ଉଦ୍ୟମ । ସାମ, ଦାମ, ଦଣ୍ଡ, ଭେଦ ନୀତି ଆପଣାଉଛନ୍ତି ନେତା ।

110

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହା ପରେ ଅପରାହ୍ନରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ତେବେ ତିନିଦଳରେ ଚିନ୍ତା ବଢାଇଛନ୍ତି ବିଦ୍ରୋହୀ । ତେଣୁ ବିଦ୍ରୋହୀଙ୍କୁ ମନାଇବା ପାଇଁ ଜୋରସୋରରେ ଶେଷ ଉଦ୍ୟମ ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନରେ ଏହି ବିଦ୍ରୋହୀ ପ୍ରାର୍ଥୀମାନେ ଦଳୀୟ ପ୍ରାର୍ଥୀଙ୍କ ଗଣିତ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମୋଟ ୬ ହଜାର ୭୯୪ ଗ୍ରାମପଂଚାୟତରେ ସଂରପଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ମୋଟ ୬, ୭୯୩ ସମିତିସଭ୍ୟ ପାଇଁ ୨୭ ହଜାର ୦୩୪ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ୮୫୩ ଜିଲ୍ଲାପରିଷଦ ଜୋନ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏତେ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଦ୍ରୋହୀ ଅଛନ୍ତି, ଯାହା ରାଜନୈତିକ ଦଳଗୁଡିକର ଚିନ୍ତା ବଢାଇଛି । ବିଶେଷକରି ବିଜେଡି ଓ ବିଜେପିରେ ବିଦ୍ରୋହୀ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ଥାନୀୟ ବିଧାୟକ ଓ ନେତା ତଥା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ବିଭିନ୍ନ ଉପାୟରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ବୁଝାଉଛନ୍ତି । ଆବଶ୍ୟକ ପଡିଲେ ହେଡକ୍ୱାର୍ଟର ଭୁବନେଶ୍ୱରକୁ ଡକାଯାଇ ଆଶ୍ୱାସନା ସହିତ ପ୍ରତିଶ୍ରୃତି ଦିଆଯାଉଛି । ଆଉ ତା ସହିତ ପଦପଦବୀର ଅଫର ବି ଦିଆଯାଉଛି । କିନ୍ତୁ ଏ ବାବଦରେ ଉଭୟ ଦଳର କେହି ବଡ ନେତା କିଛି ମୁହଁ ଖୋଲୁନାହାନ୍ତି ।

ତେବେ ଆସନ୍ତାକାଲି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ବୁଧବାର କିମ୍ବା ଗୁରବାର ପ୍ରାର୍ଥୀ ନେଇ ସ୍ପଷ୍ଟ ଚିତ୍ର ମିଳିବା ଆଶା କରାଯାଉଛି । କେଉଁ କେଉଁ ଜିଲ୍ଲାପରିଷଦ ଜୋନରେ କାହା ବିରୋଧରେ କିଏ ଲଢିବ ତାହା ସ୍ପଷ୍ଟ ହେବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଂଚାୟତ ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ପଂଚାୟତ ନିର୍ବାଚନ ୩ ଦଳ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଉଛି । ଜନମତକୁ କିଏ କେତେ ନିଜ ଆଡକୁ ଟାଣୁଛି ତାହା ଏହି ପଂଚାୟତ ନିର୍ବାଚନରୁ ହିଁ ସ୍ପଷ୍ଟ ହେବ ।

୨୦୧୭ ପଂଚାୟତ ନିର୍ବାଚନ ଫଳାଫଳରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲା । କଂଗ୍ରେସର ପ୍ରଦର୍ଶନ ନୌରାଶ୍ୟଜନକ ଥିଲା । ତେଣୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କ ରାଗକୁ ପ୍ରଶମିତ କରିବା ସହ ବିଜୟକୁ ସୁଗମ କରିବାର ଏହି ଶେଷ ସମୟକୁ କୌଣସି ବି ରାଜନୈତିକ ଦଳ ହାତଛଡା କରିବାକୁ ଚାହୁଁନାହାନ୍ତି ।