ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ଲଢେଇରେ ବିଜୟ ମୁକୁଟ ପିନ୍ଧିଲେ ୧୨୬ ସରପଞ୍ଚ ।

206

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୧୨୬ଜଣ ସରପଞ୍ଚ । ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ । ଅମ୍ବାଭନା ବ୍ଲକ୍ ଜୋନ୍ ନଂ-୨ର ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ବିନା ଲଢେଇରେ ନିର୍ବାଚିତ ହୋଇଛନ୍ତି ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର ପ୍ରାର୍ଥୀ । ତେବେ ଢିଙ୍କିଆରେ ଚଳିତବର୍ଷ ବଦଳରେ ଆସନ୍ତାବର୍ଷ ହେବ ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ୪୦ ପ୍ରତିଶତ ୱାର୍ଡମେମ୍ବର ବିନା ବିନି ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ମୋଟ ୯୧ ହଜାର ୮୯୦ ୱାର୍ଡ ମେମ୍ବର ଆସନ ମଧ୍ୟରୁ ୩୬ ହଜାର ୫୨୩ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ୬ ହଜାର ୭୯୩ ସରପଞ୍ଚ ଆସନରୁ ୧୨୬ ସରପଞ୍ଚ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ୬ହଜାର ୭୯୩ ସମିତିସଭ୍ୟ ଆସନରୁ ୩୨୬ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ୮୫୩ ଜିଲ୍ଲାପରିଷଦ ଆସନରୁ ଗୋଟିଏ ଆସନର ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ତେବେ ଢିଙ୍କିଆରେ ସରପଂଚ ନିର୍ବାଚନ ୨୦୨୩ ମସିହାରେ ହେବ ।

ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ କାଲିଠାରୁ କୋଭିଡ କଟକଣା ଭିତରେ ପ୍ରଚାର ଅଭିଯାନ ଜୋରଦାର ହେବ । ତିନିଦଳର ବଡ ବଡ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ । ଆସନ୍ତା ଫେବୃଆରୀରେ ପଂଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରରେ ଭୋଟ୍ ଗଣତି କରାଯିବ । ଏଥର କୋଭିଡ କଟକଣାରେ ନିର୍ବାଚନ ହେଉଛି । ବିନା ରାଲି ଓ ବିନା ରୋଡ୍ ଶୋ’ରେ ହେଉଛି ପଞ୍ଚାୟତ ନିର୍ବାଚନ । କୌଣସି ରାଲିକୁ ଅନୁମତି ଦିଆଯାଇନାହିଁ । ସଭା ମଧ୍ୟ କରି ହେବ ନାହିଁ । ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି । ୫ ଜଣକୁ ନେଇ ପ୍ରାର୍ଥୀ ଘରକୁ ଘର ଯାଇ ପ୍ରଚାର କରିପାରିବେ ।