ଗତ ଜୁଲାଇରେ ଲଗାଇଥିବା ଆର୍ଥିକ କଟକଣାକୁ କୋହଳ କଲେ ରାଜ୍ୟ ସରକାର: ବନ୍ଦ ହୋଇଥିବା ପ୍ରକଳ୍ପ କାର୍ଯ୍ୟଗୁଡିକ ପାଇଁ ପାଣ୍ଠି ଯୋଗାଇବାକୁ ନିଷ୍ପତି

ମହାମାରୀରେ ପ୍ରଭାବିତ ଲୋକଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟ

103

କନକ ବ୍ୟୁରୋ: ରାଜ୍ୟରେ ଆର୍ଥିକ କଟକଣାକୁ କୋହଳ କରିଛନ୍ତି ସରକାର । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏ ସଂକ୍ରାନ୍ତରେ ସମସ୍ତ ବିଭାଗୀୟ ମୁଖ୍ୟ ସଚିବ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି । କୋଭିଡ ମହାମାରୀ ପରିସ୍ଥିତି ପାଇଁ ସରକାର ଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟ, ନିଯୁକ୍ତିକୁ ବନ୍ଦ କରିଥିଲେ । ଅର୍ଥ ବିଭାଗ ପକ୍ଷରୁ ବ୍ୟୟ ସଂକୋଚନ କରିବାକୁ ଆର୍ଥିକ କଟକଣା ଜାରି କରାଯାଇଥିଲା । କିନ୍ତୁ ରାଜ୍ୟରେ ଆର୍ଥିକ ସ୍ଥିତି ଓ ଲୋକଙ୍କ ଜୀବିକା ପ୍ରଭାବିତ ହେବାରୁ ଏହି କଟକଣା ଏବେ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି ।

ପୂର୍ବ କଟକଣା ଅନୁଯାୟୀ ମେଡିକାଲ ଯନ୍ତ୍ରପାତି, ଆଭ୍ୟନ୍ତରୀଣ ସୁରକ୍ଷାକୁ ଛାଡି ଡିଜିଟାଲ କମ୍ୟୁନିକେସନ୍ ବ୍ୟବସ୍ଥା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ହେଲେ ଅର୍ଥ ବିଭାଗର ଅନୁମତି ନେବାକୁ ପଡୁଥିଲା । କିନ୍ତୁ ଏଣିକି ଆଉ ଡିଜିଟାଲ ଯନ୍ତ୍ରପାତି କିଣିବା ପାଇଁ ଅର୍ଥ ବିଭାଗର ଅନୁମତି ଆବଶ୍ୟକ ପଡିବ ନାହିଁ । ସେହିପରି ଦୀର୍ଘମିଆଦି ରୁଣ, ଯେମିତିକି ଗୃହ ରୁଣି, ମୋଟର କାର ଓ କମ୍ପ୍ୟୁଟର କିଣିବା ପାଇଁ ରୁଣ ଉପରେ କଟକଣା ଲାଗିଥିଲା । ଏବେ କିନ୍ତୁ ଏହି କଟକଣାକୁ ଉଠାଇ ଦିଆଯାଇଛି ।

କୋଭିଡ ପରିଚାଳନା ପାଇଁ ଉଦ୍ଦିଷ୍ଟ ଆନୁସଙ୍ଗିକ ଖର୍ଚ୍ଚକୁ ଛାଡି ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଉପରେ ବଜେଟ ଖର୍ଚ୍ଚ ୬୦ ପ୍ରତିଶତରେ ସୀମିତ ରଖାଯାଇଥିଲା । ଏବେ ଏହି ସୀମାକୁ ୭୫ ପ୍ରତିଶତ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆର୍ଥିକ କଟକଣା ଫଳରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ପାଇଁ ଆବଶ୍ୟକ କଂଚାମାଲ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ହେଲେ ଏଣିକି ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ପାଇଁ ଜିନିଷ କିଣାଯାଇ ପାରିବ ଓ ଏଥିପାଇଁ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ ନାହିଁ ।

Comments are closed.