ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରାଚାଲାଣ: ପଛେ ପଛେ ପୋଲିସ ଆଗେଆଗେ ବେପାରୀ

400

କନକ ବ୍ୟୁରୋ: ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଗାଡ଼ି ଭିତରେ ସିକ୍ରେଟ ଚ୍ୟାମ୍ବର କରି ଚାଲିଥିବା ଚାଲାଣ । ଗଂଜେଇ ବେପାରୀଙ୍କ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ । ପାଖାପାଖି ଏକ ଘଂଟାର ଛକାପଞ୍ଜା ପରେ ସେହି ଗାଡିଟିିକୁ ଅଟକାଇବାରେ ସକ୍ଷମ ହୋଇଥିଲା ସ୍ପେଶାଲ କ୍ରାଇମ ୟୁନିଟ ।

ସ୍ପେଶାଲ କ୍ରାଇମ ୟୁନିଟର ଅଧିକାରୀ ଓ ଗଞ୍ଜେଇ ବେପାରିଙ୍କ ଭିତରେ ଚାଲିଛି ଛକାପଞ୍ଜା । ରବିବାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଏମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଏକ ଦାମୀ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ମିଳିଥିଲା ଖବର । ଗାଡିଟିକୁ ଅଟକାଇ ଯାଂଚ କରାଯାଇଥିବା ବେଳେ ସେଥିରେ ଗଞ୍ଜେଇ ମିଳି ନ ଥିଲା । ଠିକ ସେହି ସମୟରେ ଆଉ ଏକ ନାଲି ରଙ୍ଗର ଗାଡି ଦ୍ରୁତ ଗତିରେ ପୋଲିସ ଗାଡିକୁ ଓଭରଟେକ କରି ଭୁବନେଶ୍ୱର ଯାଇଥିଲା । ପୋଲିସର ସନ୍ଦେହ ହେବାରୁ ଗାଡିର ପିଚ୍ଛା କରଥିଲା ପୁଲିସ । ପାଖାପାଖି ଏକ ଘଂଟାର ଛକାପଞ୍ଜା ପରେ ସେହି ଗାଡିଟିିକୁ ଅଟକାଇବାରେ ସକ୍ଷମ ହୋଇଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଗାଡି ଯାଂଚ ସମୟରେ ଗାଡିରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତିନି ଜଣ ଗଞ୍ଜେଇ ବେପାରିଙ୍କୁ ଗିରଫ କରାଯାଇଛି ।

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ
ଗାଡି ଭିତରେ ଥିଲା ସିକ୍ରେଟ ଚ୍ୟାମ୍ବର
ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ପ୍ୟାକେଟ

ଗିରଫ ହୋଇଥିବା ତିନିଜଣ ଯୁବକ ଝାଡଖଣ୍ଡ ଅଂଚଳର ହୋଇଥିବା ବେଳେ ସେମାନେ ମାଲକାନାଗିରିରୁ ଗଞ୍ଜେଇ ଆଣି ପଶ୍ଚିମବଙ୍ଗରେ ବିକ୍ରି କରିବାକୁ ଯୋଜନା କରିଥିଲେ । ବାଟରେ ପୋଲିସକୁ କିମ୍ବା ତଦନ୍ତକାରି ଅଧିକାରିଙ୍କୁ ଚକମା ଦେବାପାଇଁ ଗାଡିରେ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ନଜର ପକାନ୍ତୁ ଜବତ କରାଯାଇଥିବା ଏହି ଗାଡି ଉପରେ । ଗାଡି ଭିତରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚ୍ୟାମ୍ବର । କିଲେ କି ଦୁଇ କିଲୋ ନୁହେ,ଏହି ସିକ୍ରେଟ ଚ୍ୟାମ୍ବର ରେ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଏହି ନିଶା ବେପାରି । ପୋଲିସ କୁ ଚକମା ଦବୋ ପାଇଁ ଗାଡିରେ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ରଖାଯାଇଥିଲା । ଯେଉଁ ରାଜ୍ୟ ଦେଇ ଯାଉଥିଲେ ଗାଡିରେ ସେହି ରାଜ୍ୟର ନକଲି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ ।

ଗିରଫ ତିନି ଜଣ ନିଶା ବେପାରୀଙ୍କୁ ତିନି ଦିନିଆ ରିମାଣ୍ଡେରେ ଆଣିବ ସ୍ପେଶାଲ କ୍ରାଇମ ୟୁନିଟ । ଏମାନଙ୍କ ପଛର ମାଷ୍ଟର ମାଇଣ୍ଡ କିଏ? ଏମାନଙ୍କ ନାଁରେ ଅନ୍ୟ କଣ ମାମଲା ରହିଛି? ଗଂଜେଇ ଚାଲାଣର ଚେର କେଉଁଆଡେ ଲମ୍ବିଛି? ଏଥିରେ ଆଉ କେଉଁମାନେ ସାମିଲ? ତାର ତଦନ୍ତ କରିବ ସ୍ପେଶାଲ କ୍ରାଇମ ୟୁନିଟ ।

ଗାଡି ଭିତରେ ସ୍ୱତନ୍ତ୍ର ଚ୍ୟାମ୍ବର
ଚ୍ୟାମ୍ବରରେ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଚୋରା ଚାଲାଣ
ପୋଲିସକୁ ଚକମା ଦେବାକୁ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ
ଯେଉଁ ରାଜ୍ୟ ଦେଇ ଯାଉଥିଲେ, ସେହି ରାଜ୍ୟର ନକଲି ନମ୍ବର ପ୍ଲେଟ