ପ୍ରଚାର ମୈଦାନରେ ସେଲିବ୍ରିଟି ! ନିଆରା ଶୈଳୀରେ କଲେ କ୍ୟାମ୍ପେନ୍, ନେତାଙ୍କ ପାଇଁ ମାଗିଲେ ଭୋଟ୍ । 

216

କନକ ବ୍ୟୁରୋ : ନେତାଙ୍କ ପାଇଁ ଅଭିନେତ୍ରୀଙ୍କ ପ୍ରଚାର । ପୁରା ଫିଲ୍ମ ଷ୍ଟାଇଲରେ ମଂଚ ଉପରେ ଗୀତ ଗାଇ ନାଚି ନଚେଇ ପ୍ରଚାର କରିଛନ୍ତି ସେଲିବ୍ରେଟି । ଆଜି ମାଲକାନଗିରିର ବିଭିନ୍ନ ସ୍ଥାନରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ଦେବଜାନୀ ବାନାର୍ଜି । କେବଳ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଭିନେତ୍ରୀ ପ୍ରଚାର କରୁଛନ୍ତି ତା ନୁହେଁ ବିଜେପି ପ୍ରାର୍ଥୀଙ୍କ ପାଇଁ ବି ଭୋଟ ମାଗିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ ।

ପ୍ରଚାର ମୈଦାନରେ ସିନେ ତାରକା । ନେତାଙ୍କ ପାଇଁ ବାହାରିଲେ ସେଲିବ୍ରିଟି । ଲୋକପ୍ରିୟ ଓଡ଼ିଆ ଗୀତର ତାଳେ ତାଳେ ମଂଚ ଉପରେ ଚାଲିଥିଲା ଅଭିନେତ୍ରୀ ଦେବଜାନୀଙ୍କ ସୋ’ । ଦେବଜାନୀ କୌଣସି ଫିଲ୍ମ କିମ୍ବା ଆଲବମର ପ୍ରମୋସନ୍ କରୁନଥିଲେ, ବରଂ ନେତାଙ୍କ ପାଇଁ ପ୍ରଚାର କରୁଥିଲେ ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ । ମଂଚ ଉପରେ ନାଚୁଥିଲେ ଗୀତ ବି ଗାଉଥିଲେ, ଏମିତି କି କୁନି କୁନି ପିଲାଙ୍କ ସହ ଫିଲ୍ମ ଶୈଳୀରେ ଅଭିନୟ ବି କରୁଥିଲେ । ନିର୍ବାଚନୀ ମୈଦାନରେ ବିଜେଡି ବିଧାୟକ ପ୍ରାର୍ଥୀ ମୁକୁନ୍ଦ ଶୋଢୀ ଓ ସାଂସଦ ପ୍ରାର୍ଥୀ ରମେଶ ମାଝୀଙ୍କ ପାଇଁ ଭୋଟ ମାଗିଛନ୍ତି ଅଭିନେତ୍ରୀ ଦେବଜାନୀ ।

ଆଉ ଅନ୍ୟପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀରୁ ନେତ୍ରୀ ବନିଥିବା ଅନୁ ଚୌଧୁରୀ । ଅନୁ ଚୌଧୁରୀ କିନ୍ତୁ ଫିଲ୍ମର ଡାଇଲଗ୍ ମାରୁ ନାହାଁନ୍ତି କିମ୍ବା ଗୀତ ବୋଲୁ ନାହାଁନ୍ତି, ବରଂ ପୋଖତ୍ ନେତାଙ୍କ ଶୈଳୀରେ ମଂଚ ଉପରେ ଭାଷଣ ମାରିଛନ୍ତି । ଖଣି, ପାଣି ଏବଂ ନକ୍ସଲ ସମସ୍ୟା ଭଳି ପ୍ରସଙ୍ଗ ଉଠାଇ କୋଟପାଡରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁରୁପ ଭାବରେ ପୂର୍ବରୁ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କୁ ମଧ୍ୟ ବିଜେଡିର ପ୍ରଚାର ମୈଦାନରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲା ଗସ୍ତ ସମୟରେ ଅର୍ଚିତା ଏବଂ ସବ୍ୟସାଚୀ ବିଜେଡି ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ପ୍ରଚାର କରିଥିଲେ ।