୨୦୧୯ ନିର୍ବାଚନ : ସିନେ ଷ୍ଟାରଙ୍କ ସଂଖ୍ୟା କମିଲା । ଏଥର ମଇଦାନରେ ମାତ୍ର ୩ଜଣ ତାରକା ପ୍ରାର୍ଥୀ ।

226

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଜନମତ ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ତେବେ ନିର୍ବାଚନ ଆସିଲେ ପ୍ରଚାରରେ ଅନେକ ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ମିଳେ । ଏପରିକି ଭୋଟ୍ ହାତେଇବାକୁ ସମସ୍ତ ରାଜନୈତିକ ଦଳଗୁଡିକ କଳାକାର ମାନଙ୍କୁ ପ୍ରାର୍ଥୀ ମଧ୍ୟ କରିଥାନ୍ତି । ଯାହା ଦେଖିବାକୁ ମିଳିଥିଲା ୨୦୧୪ ନିର୍ବାଚନରେ । ଏଥର କିନ୍ତୁ ବଦଳିଛି ରଣନୀତି । ଫିଲ୍ମ ଷ୍ଟାରଙ୍କ ଉପରେ ବୋଧହୁଏ ଆଉ ଭରସା କରିପାରୁନାହାନ୍ତି ଦଳର ମୁଖିଆମାନେ । ଯେଉଁଥିପାଇଁ ବିଜେଡି ଏଥର ଫିଲ୍ମ ଷ୍ଟାର ଭାବେ କେବଳ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପିଙ୍କି ପ୍ରଧାନ ଏବଂ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଆଉ ସବୁଠାରୁ ବଡ କଥା ହେଉଛି, କୌଣସି ଫିଲ୍ମ ଷ୍ଟାରଙ୍କୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇନାହିଁ କଂଗ୍ରେସ । ୨୦୧୪ ତୁଳନାରେ ବର୍ତମାନ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଷ୍ଟାର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସୁଯୋଗ ପାଇଛନ୍ତି ।

ଗତ ନିର୍ବାଚନରେ ବିଜେଡି ଅନେକ ଫିଲ୍ମ ଷ୍ଟାରଙ୍କୁ ରାଜନୀତି ମଇଦାନକୁ ଓହ୍ଲାଇଥିଲା । ସିଦ୍ଧାନ୍ତ ମହାପାତ୍ର ବହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇ ଜିତିଥିବା ବେଳେ, ଏଥର କିନ୍ତୁ ଦଳ ତାଙ୍କ ଟିକେଟ୍ କାଟିଛି । ସେହିପରି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ମଧ୍ୟ ପ୍ରାର୍ଥୀ କରିନି ବିଜେଡି । ସେହିପରି କମେଡି କିଙ୍ଗ ପପୁ ପମପମ୍ ଗତ ନିର୍ବାଚରେ ଶଙ୍ଖ ଟିକେଟରେ ଚମ୍ପୁଆ ବିଧାନସଭା କ୍ଷେତ୍ରରୁ ମଇଦାନକୁ ଓହ୍ଲାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ରାଜନୀତିରୁ ଅବସର ନେଇଥିଲେ ।

ସେହିପରି କଂଗ୍ରେସ, ଗତ ନିର୍ବାଚନରେ ଦୁଇ ଜଣ ତାରକାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରେ କିନ୍ତୁ କୌଣସି ଫିଲ୍ମ ଷ୍ଟାରଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇନାହିଁ । ୨୦୧୪ ନିର୍ବାଚନରେ କଟକ ଲୋକସଭା ଆସନରୁ ଅପରାଜିତା ମହାନ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ, ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜୟ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିଲା । ଏଥର କିନ୍ତୁ ଦଳରେ ଷ୍ଟାର ପ୍ରାର୍ଥୀ କେହି ନାହାନ୍ତି ।

ସେପଟେ ଗତ ୨୦୧୪ ନିର୍ବାଚନରେ ବିଜେପି କୌଣସି ଫିଲ୍ମ ଷ୍ଟାରଙ୍କୁ ମଇଦାନକୁ ଓହ୍ଲାଇନଥିବା ବେଳେ ଏଥର କିନ୍ତୁ, ଦୁଇ ଜଣ କଳାକାରଙ୍କୁ ପ୍ରାର୍ଥୀ କରିଛି । ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି ବିଜେପି । ତେବେ ଏହି ତମାମ ତଥ୍ୟକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି, କେଉଁଠି ନା କେଉଁଠି ଫିଲ୍ମ ଷ୍ଟାରଙ୍କ ଉପରେ ଆଉ ଭରସା କରୁନାହାନ୍ତି ରାଜନୈତିକ ଦଳ । ଆଉ ଏହାରି ଭିତରେ ଆଗାମୀ ନିର୍ବାଚନରେ କେଉଁ ଦଳ କେଉଁ ରଣନୀତି ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।