ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ନିଆରା ପ୍ରୟାସ : ହାତରେ ପୋଷ୍ଟର ଧରି ଆରମ୍ଭ କଲେ ‘ଓଡ଼ିଆ ଫିଲ୍ମ ବଞ୍ଚାଅ ଅଭିଯାନ’

417

କନକ ବ୍ୟୁରୋ : ଫିଲ୍ମ ରିଲିଜ ପାଇଁ ହଲ୍ ମାଲିକଙ୍କ ଗୋଡ ଧରିଲେ, ଆଉ ଏବେ ପ୍ରତିବାଦ ପାଇଁ ହାତରେ ଧରିଲେ ପୋଷ୍ଟର । ଓଡ଼ିଆ ସିନେମାକୁ ବଞ୍ଚାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା । ‘ଓଡ଼ିଆ ସିନେମା ବଞ୍ଚା ଅଭିଯାନ’ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଅଭିଯାନକୁ ଓହ୍ଳାଇଛନ୍ତି ଶ୍ରୀଧର ମାର୍ଥା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରାଯାଉଥିବା ବେଳେ ରିଲିଜି ପାଇଁ ସିନେମା ହଲ ମିଳୁନଥିବା ଅଭିଯୋଗ କରିବା ପରେ ଓଡ଼ିଆ ସିନେମାକୁ ବଞ୍ଚାଇବାକୁ ଫିଲ୍ମ ପ୍ରଯୋଜକ ଅଭିଯାନ ଆରମ୍ଭ କରିଛନ୍ତି ।

ଓଡିଆ ସିନେମା ମୁକ୍ତି କରିବାକୁ ସଂଘର୍ଷ କରିବାକୁ ପଡୁଛି । ମୁକ୍ତିଲାଭ ପାଇଁ ତାରିଖ ଖୋଜା ଚାଲିଛି । କେବଳ ଜଣେ ନୁହେଁ ଅନେକ ସିନେ ନିର୍ମାତାଙ୍କ ଅବସ୍ଥା ଠିକ ଏହି ଭଳି । ଆଗକୁ ଦଶହରା ଥିବା ବେଳେ ଓଡିଆ ଫିଲ୍ମ ନେବା ପାଇଁ ସିନେମା ହଲ ମାଲିକ ଆଗ୍ରହ ପ୍ରକାଶ କରୁନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ବିତରଣକାରୀ ସଂସ୍ଥାଗୁଡିକ ହିନ୍ଦୀ ଫିଲ୍ମକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ତେଣୁ ଓଡିଆ ଫିଲ୍ମ ରିଲିଜ ହୋଇପାରୁନି ବୋଲି ପ୍ରଯୋଜକ କହିଛନ୍ତି ।