କନକ ବ୍ୟୁରୋ : ମାନବିକତା ମରିଗଲାଣି । ଲୋକଙ୍କର ପରସ୍ପର ପ୍ରତି ସହାନୁଭୂତି କମିଗଲାଣି । କେହି କାହାକୁ ସହଯୋଗର ହାତ ବଢାଇବା ତ ଦୂରର କଥା ବରଂ କେହି ବିପଦରେ ପଡିଲେ ତାହାର ମଜା ଉଠାଉଛନ୍ତି । ମାନବ ସମାଜକୁ ଲଜ୍ଜିତ କଲାଭଳି ସେଭଳି ଏକ ଘଟଣା ଦିଲ୍ଲୀରୁ ଆସିଛି । ପୂର୍ବ ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ଫିଲ୍ମମେକର ଦୁର୍ଘଟଣାର ଶିକାର ହେବା ପରେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । କିନ୍ତୁ ଲୋକ ଉକ୍ତ ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଫଟୋ ଉଠାଇବା ସହ ଭିଡ଼ିଓ କରୁଥିଲେ । ଏପରିକି ଘଟଣାସ୍ଥଳରୁ ଆହତ ଯୁବକଙ୍କ ମୋବାଇଲ ମଧ୍ୟ କେହି ଚୋରି କରି ନେଇଗଲେ । ତେବେ ଏହାର କିଛି ସମୟ ପରେ କିଛି ଲୋକ ଆହତ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆହତ ଯୁବକ ତଳେ ପଡିଥିବା ବେଳେ କିଛି ଲୋକ ତାଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରୁଥିଲେ । ସିସିଟିଭିରେ ରେକର୍ଡ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଫିଲ୍ମମେକର ପୀୟୁଷ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ତଳେ ପଡି ଯାଇଥିଲେ । ଏହି ସମୟରେ ତାଙ୍କର ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା । ପୀୟୂଷ ସେଠାରେ ପାଖାପାଖି ୩୦ ମିନିଟ୍ ପଡି ରହିଥିଲେ ମଧ୍ୟ କେହି ତାଙ୍କୁ ହସ୍ପିଟାଲ ନେଇନଥିଲେ । ରାତି ୯ଟା ୪୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ହୋଇଥିଲେ ମଧ୍ୟ ପୀୟୁଷଙ୍କୁ ରାତି ୧୧ଟା ବେଳେ ଚିକିତ୍ସା ସୁବିଧା ମିଳିଥିଲା । ଚିକିତ୍ସା ମିଳିବାରେ ବିଳମ୍ବ କାରଣରୁ ହସ୍ପିଟାଲରେ ପୀୟୁଷଙ୍କର ଜୀବନ ଚାଲି ଯାଇଥିଲା । ତେବେ ପୀୟୁଷଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଚିହ୍ନ ଛିଡା କରିଛି । ସତରେ କଣ ଆମ ଭିତରେ ଆଉ ମାନବିକତା ବଞ୍ଚିକି ନାହିଁ । ଜଣେ ଆହତ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ ମଧ୍ୟ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କର ଫଟୋ ଉଠାଇବା କେତେ ଦୂର ଠିକ୍?