ପରଦାରେ ପୁଞ୍ଜିଲାଲଙ୍କ ପାପପେଡି ! ପାର୍ସଲ ବୋମାର ପୁରା କାହାଣୀକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର ।

47

ସମାଜରେ ଭଦ୍ର ମୁଖା ତଳେ ଲୁଚି ରହିଛନ୍ତି ସଇତାନ ରୂପୀ ମଣିଷ । କେମିତି ପ୍ରିନ୍ସପାଲ ପଦ ପାଇଁ ଅଧ୍ୟାପକ ସାଜିଲେ ସଇତାନ । ଚୌକି ପାଇଁ ଚାଲିଗଲା ଦୁଇ ଦୁଇଟି ଜୀବନ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ତିଆରି ହେବ ଚଳଚ୍ଚିତ୍ର । ଏହି ଘଟଣାର ଲୋମଟାଙ୍କୁରା ଦୃଶ୍ୟକୁ ପରଦାରେ ଉପଲବ୍ଧ କରାଯିବ । ପ୍ରଯୋଜକ ଶ୍ରୀଧର ମାର୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଚଳଚ୍ଚିତ୍ରଟିର ନାମ ରଖାଯାଇଛି ‘ବୁଲେଟ ରାଜା’ ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ପୁରା ଘଟଣାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବେ ପ୍ରଯୋଜକ ଶ୍ରୀଧର ମାର୍ଥା । କିଭଳି ଭଦ୍ର ମୁଖା ତଳେ ସଇତାନ ଲୁଚି ରହିଥାଏ, ନିଜ କୁଟ ଷଡଯନ୍ତ୍ରରେ ସମାଜକୁ ବିଭ୍ରାନ୍ତ କରିଥାଏ ତାହାର ଚିତ୍ରକୁ ଏହି ଚଳଚ୍ଚିତ୍ରରେ ଉପଲବ୍ଧ କରାଯିବ । କାହାଣୀର ବାସ୍ତବତା ଏବଂ ନିଚ୍ଛୁକ ଚିତ୍ରକୁ ପରଦାରେ ଦେଖିବେ ଦର୍ଶକ ।

 

ସୌମ୍ୟ ଶେଖର ଏବଂ ରିମାଙ୍କ ପ୍ରେମ କାହାଣୀ ଠାରୁ ଆରମ୍ଭ କରି ଦୁଇଜଣଙ୍କର ବିବାହ, ଏବଂ ପରେ କୋରିଅରରେ ପାର୍ସଲ ବୋମା ଆସିବା ଓ ବିସ୍ଫୋରଣର କରୁଣ ଚିତ୍ରକୁ ଚଳଚ୍ଚିତ୍ରରେ ଦର୍ଶାଯିବ । କିଭଳି ଥିଲା ପୁରା ଘଟଣା, କେମିତି କ୍ରାଇମବ୍ରାଞ୍ଚ ତଦନ୍ତ କରି ଶେଷରେ ଅପରାଧୀ ପୁଞ୍ଜିଲାଲ ମେହେରକୁ ଧରିବାରେ ସଫଳ ହୋଇଥିଲା ସେ ସବୁର ଚିତ୍ର ପରଦାରେ ଦର୍ଶାଯିବ ।

ତେବେ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ନଜର ଆସିବେ ହର ରଥ । ସେହିପରି କ୍ରାଇମବ୍ରାଞ୍ଚ ଅଫିସର ଅନିଲ ବୋଥ୍ରାଙ୍କ ଭୂମିକାରେ ନଜର ଆସିବେ ମନୋଜ ମିଶ୍ର । ତେବେ ଚଳଚ୍ଚିତ୍ରର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜକ ଶ୍ରୀଧର ମିଶ୍ର କହିଛନ୍ତି । ଚଳଚ୍ଚିତ୍ରରେ ରୋମାନ୍ସ, କମେଡି, ଟ୍ରାଜେଡି ଓ ସସପେନ୍ସ ସହ ଘଟଣାର ପୁରା କାହାଣୀକୁ ବର୍ଣ୍ଣନା କରାଯିବ ବୋଲି ସିନେ ସମୀକ୍ଷକ ଦିଲିପ ହାର୍ଲି ମତ ରଖିଛନ୍ତି ।

ଚଳଚ୍ଚିତ୍ରକୁ ବାସ୍ତବ ରୂପ ଦେବା ପାଇଁ ଏହାର କିଛି ଅଂଶ ପାଟଣାଗଡରେ ସୁଟିଂ କରାଯିବ । ଏବଂ କାହାଣୀକୁ ଜୀବନ୍ତ କରିବା ପାଇଁ ପ୍ରଯୋଜକ, ମୃତ ସୌମ୍ୟଶେଖରଙ୍କ ପରିବାର ସହ ଆଲୋଚନା କରିବେ । ଆବଶ୍ୟକ ପଡିଲେ ପୋଲିସର ଅନୁମତି ନେଇ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ମଧ୍ୟ ଭେଟି ପାରନ୍ତି । ତେବେ ଆଜି ପ୍ରଯୋଜକ ଶ୍ରୀଧର ମାର୍ଥା ପୋଲିସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିଲେ ।