କନକ ବ୍ୟୁରୋ : ସିନେ କଳାକାର ସୋନୁ ସୁଦ୍ଦଙ୍କ ଭଉଣୀ ମାଳବିକା ସୁଦ କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ଶନିବାର ସନ୍ଧ୍ୟାରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଅନୁମାନ କରାଯାଉଛି କି ପଞ୍ଜାବର ମୁଗା ଆସନରୁ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିପାରନ୍ତି । ଏନେଇ ସୋମବାର ଦିନ ବିଧି ବଧ ଭାବେ ଘୋଷଣା ହୋଇପାରେ । ସୋନୁ ସୁଦ ରାଜନୀତିରେ ସକ୍ରିୟ ହେଉଥିବା ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ମୁଗା ନିର୍ବାଚନୀ କ୍ଷେତ୍ରରେ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏବେ ସେ ନିଜେ ରାଜନୀତିରେ ପ୍ରବେଶ କରିବାକୁ ମନା କରି ନିଜ ଭଉଣୀଙ୍କୁ କଂଗ୍ରେସରେ ଯୋଗ ଦେବାକୁ ଉତ୍ସାହିତ କରିଛନ୍ତି ।
ଅନ୍ୟପଟେ କିଛିଦିନ ତଳେ ଚଳଚିତ୍ର ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟ ଆଇକନ ଭାବେ ପାଇଥିବା ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ସୋନୁ ସୁଦଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ୧ ବର୍ଷ ପାଇଁ ପଞ୍ଜାବର ଆଇକନ ଭାବେ ନିଯୁକ୍ତି ଦେଇଥିଲେ । ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ କରୁଣା ରାଜୁ ଶୁକ୍ରବାର ଦିନ ଏକ ଅଧିକାରୀ ବୟାନରେ କହିଥିଲେ କି ଜାନୁଆରୀ ୪ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ୟ ଆଇକନ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି ।
ଗତବର୍ଷ ନଭେମ୍ବର ମାସରେ ସୋନୁ ସୁଦ ନିଜ ଭଉଣୀ ମାଳବିକାଙ୍କ ରାଜନୀତିରେ ପ୍ରବେଶ ନେଇ ସୂଚନା ଦେଇଥିଲେ । ପଞ୍ଜାବର ମୁଗା ଜିଲ୍ଲା ସହିତ ସମ୍ବନ୍ଧ ରଖୁଥିବା ସୋନୁ ସୁଦ ଗତବର୍ଷ କରୋନା କାଳରେ ପ୍ରବାସୀ ଶ୍ରମିକ ମାନଙ୍କୁ ଘରେ ପହଂଚାଇବାରେ ଅନେକ ସହାୟତା କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ସୋନୁ ସୁଦ । ଏହାକୁ ନେଇ ସେତେବେଳେ ଅନୁମାନ କରାଯାଉଥିଲା ସୋନୁ ସୁଦ ନିଜେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇ ପାରନ୍ତି ।
ଗତମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କୁ ସୋନୁ ସୁଦ ଭେଟିଥିଲେ । ଏହି ସମୟରେ ସୋନୁ ସୁଦ ଏକ ଖୋଲାସା କରି କହିଥିଲେ କି ଆପ୍ ଓ କଂଗ୍ରେସ ଉଭୟ ତାଙ୍କୁ ରାଜ୍ୟସଭା ସଭ୍ୟପଦ ଯାଚୁଛନ୍ତି ହେଲେ ସେ ଏହାକୁ ମନା କରିଦେଇଥିଲେ ।