କନକ ବ୍ୟୁରୋ : ଜଗତର ନାଥ ଜଗନ୍ନାଥ । ଯାହାଙ୍କ ଟିକିଏ ଝଲକ ପାଇବା ପାଇଁ କାହିଁ କେତେ ଦୂରରୁ ଚାଲି ଆସନ୍ତି ଭକ୍ତ । ଆଉ ଯେଉଁ ଭକ୍ତ ଶ୍ରୀମନ୍ଦିର ଭିତରେ ବଡ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇନଥାନ୍ତି ସେମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି । ବଡଦାଣ୍ଡରେ ଏକାକାର ହୋଇଯାଆନ୍ତି ଭକ୍ତ ଓ ଭଗବାନ । ଘଣ୍ଟା ଘଣ୍ଟା ମହାପ୍ରଭୁଙ୍କ ମୁଖକୁ ଚାହିଁ ରହିଥିଲେ ମଧ୍ୟ ଭକ୍ତ ଆଖିରେ ପଲକ ପଡିନଥାଏ । କାଳିଆ ଠାକକ୍ର ଶ୍ରୀମୁଖକୁ ଚାହିଁ ଭକ୍ତ ଆଖିରେ ଲୁହ ଜକେଇ ଆସିଥାଏ । ଆଉ ଭକ୍ତ ନିଜର ମନର କଥା ବଡ ଠାକୁରଙ୍କୁ କହିବାକୁ ଭୁଲିନଥାଏ । ଭାବର ଠାକୁର ହୋଇଥିବାରୁ ଭକ୍ତର ଭାବନାକୁ ବେଶ ଭଲ ଭାବରେ ବୁଝି ନେଇଥାନ୍ତି କାଳିଆ ଠାକୁର । ଏହିଭଳି ଅନେକ ଭକ୍ତ ରହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ନିକଟରେ ନିଜର ମନର କଥା କହିଛନ୍ତି ଓ ତାହା ପୂରଣ ହୋଇଛି ମଧ୍ୟ । ସେହିଭଳି ଅନୁଭୂତି ସାଉଁଟିଥିବା ଭକ୍ତଙ୍କ ମଧ୍ୟରୁ ଜଣେ ଭକ୍ତ ହେଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । କନକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ମହାପ୍ରଭୁଙ୍କ ଅଲୌକିକତାର ଅନୁଭୂତି କହିଛନ୍ତି ସବ୍ୟସାଚୀ ।
ମହାପ୍ରଭୁଙ୍କ ବିନା ଆର୍ଶୀବାଦରେ କୌଣସି କାମ ଆରମ୍ଭ କରୁନଥିବା ସବ୍ୟସାଚୀ ନିଜର ଅନୁଭୂତି ବଖାଣିବା ବେଳେ ବେଶ ଭାବବିହ୍ୱଳ ହୋଇପଡିଥିଲେ । ମହାପ୍ରଭୁଙ୍କୁ ନିଜ ପରିବାରର ସଦସ୍ୟ ବୋଲି କହିବା ସହ ପ୍ରତ୍ୟେକ କାମରେ ଜଗନ୍ନାଥଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିଥାନ୍ତି । ଭାବର ଠାକୁର ଭକ୍ତର ମନର କଥା ଜାଣିପାରନ୍ତି । କାରଣ ଯେତେବେଳେ ମହାପ୍ରଭୁଙ୍କ ପ୍ରସାଦ ଅବଢା ଖାଇବାକୁ ଇଚ୍ଛା ହୋଇଛି କେଉଁ ନା କେଉଁ ବାଟରେ ତାହା ପୂରଣ ହୋଇଛି । ଯାହା ଜଗନ୍ନାଥଙ୍କ ପ୍ରତି ଥିବା ବିଶ୍ୱାସକୁ ଅଧିକ ଗଭୀର କରିଛି ।
ସେହିଭଳି ଶ୍ରୀମନ୍ଦିରରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲା ବେଳେ ମୋ ଆଖି ସବୁବେଳେ ଛଳଛଳ ହୋଇଯାଏ । ଯେତେ ଭିଡ ଥିଲେ ମଧ୍ୟ ମୋତେ ସବୁବେଳେ ଲାଗେ ଯେ, ମହାପ୍ରଭୁଙ୍କ ସାମ୍ନାରେ ମୁଁ ଏକା ଛିଡା ହୋଇଛି ଆଉ ଭାବର ଠାକୁର ମୋ କଥା ଶୁଣୁଛନ୍ତି ।
Follow Us